ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ।

ଅକ୍ଷର ବ୍ୟୁରୋ: ନିକଟରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଏଥିରେ ଓଏଏସ୍‌, ଓଆର୍‌ଏସ୍‌ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନ ଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଖବର ପ୍ରକାଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ଜାଣିବା ପରେ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହି ସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ଫଳରେ ଓଡ଼ିଶା ପ୍ରଶାସନିକ ସେବା(OAS)ରେ ୧୪ଟି, ଓଡିଶା ରାଜସ୍ବ ସେବା(ORS)ରେ ୧୧୩ଟି, ଓଡ଼ିଶା ପରିବହନ ସେବା(OTS)ରେ ୧୬ଟି ଓ ଓଡିଶା ମଙ୍ଗଳ ସେବା(OWS)ରେ ୮ଟି ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି । ସମୁଦାୟ ୧୫୧ଟି ଅଧିକ ପଦବୀ ପାଇଁ ଅନୁରୋଧ କରାଯାଇଛି । ଏହାଦ୍ବାରା ଏହିସବୁ ପଦବୀ ପାଇଁ ଆଶାୟୀ ଥିବା ଅନେକ ଯୁବତୀ ଯୁବକ ପରୀକ୍ଷା ଦେଇ ନିଜ ଯୋଗ୍ୟତା ବଳରେ ସଫଳତା ହାସଲ କରି ପାରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି ଏବଂ ଗତ ୧୮ ମାସରେ ପ୍ରାୟ ୪୦ ହଜାର ସରକାରୀ ପଦବୀ ପୂରଣ ହୋଇସାରିଛି । ବର୍ତ୍ତମାନ ମଧ୍ୟ ବିଭିନ୍ନ ଆୟୋଗ ଦ୍ବାରା ଯେଉଁ ପରୀକ୍ଷା କରାଯିବ, ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ଯେତେ ପଦବୀ ଖାଲିଥିବ ସବୁ ପୂରଣ କରିବା ପାଇଁ ଆୟୋଗଗୁଡ଼ିକୁ ସୁପାରିସ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)