ଅକ୍ଷର ବ୍ୟୁରୋ: ରାଜ୍ୟରେ ସୋମବାରଠାରୁ ବିଭିନ୍ନ ସରକାରୀ ହସ୍ପିଟାଲରେ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ରହିବ । ଏଭଳି ଚରମ ନିଷ୍ପତ୍ତି ନେଇଛି ଓମ୍ସା (ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ) । ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଦୈନିକ ସକାଳ ୯ଟାରୁ ୧୧ଟା ଯାଏଁ ଓପିଡି ବନ୍ଦ ହେବା ଯୋଗୁଁ ସ୍ଥିତି ବିଗିଡ଼ିବ । ରୋଗୀ ସେବା ବ୍ୟାହତ ହେବ । ଅନ୍ୟପକ୍ଷରେ ଡାକ୍ତରଙ୍କ ଏହି ଚରମ ନିଷ୍ପତ୍ତିକୁ ସହମତି ଜଣାଇଛି କନିଷ୍ଠ ଡାକ୍ତର ସଂଘ । ପଦୋନ୍ନତି, ଦରମା ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଆଦି ୧୦ ଦଫା ଦାବି ପୂରଣ ନେଇ ଓମ୍ସା ପ୍ରତିବାଦ କରିବା ସହିତ କଳାବ୍ୟାଜ୍ ପିନ୍ଧି ଗତ ୨୬ତାରିଖରୁ ପୂର୍ବାହ୍ନ ୧୦ରୁ ୧୧ଟା ଘଣ୍ଟାଏଁ ଲେଖାଏଁ ଓପିଡି ବନ୍ଦ ଜାରି ରଖିଛି । ହେଲେ ସରକାର ଦାବି ପୂରଣ ସମ୍ପର୍କରେ ସେଭଳି କୌଣସି ନିଷ୍ପତ୍ତି ଗ୍ରହଣ କଲେ ନାହିଁ । ବାଧ୍ୟ ହୋଇ ଓମ୍ସା କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଡାକ୍ତରମାନେ ଓପିଡ଼ି ବନ୍ଦ ସମୟକୁ ୧ଘଣ୍ଟାରୁ ୨ଘଣ୍ଟାକୁ ବଢ଼ାଇବାକୁ ସ୍ଥିର କରିଛନ୍ତି ।
ଆଜିଠାରୁ ଦୈନିକ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବେ । ପୂର୍ବରୁ ରୋଗୀ ସେବା କ୍ଷେତ୍ରରେ ଅନେକ ଅସୁବିଧା ହେଉଥିବାବେଳେ ଏବେ ଦୁଇ ଘଣ୍ଟିଆ ବନ୍ଦ ପରେ ପରିସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି । ଅନ୍ୟପକ୍ଷରେ ଡାକ୍ତରଙ୍କୁ ସମର୍ଥନ ଜଣାଇଛି କନିଷ୍ଠ ଡାକ୍ତର ସଂଘ (ଜେଡିଏ) । ଏସ୍ସିିବି, ବୁର୍ଲା ଏବଂ ବ୍ରହ୍ମପୁର ଭେଷଜ ମହାବିଦ୍ୟାଳୟର କନିଷ୍ଠ ଡାକ୍ତର ଓମ୍ସା ଦାବିକୁ ସମର୍ଥନ କରିଛନ୍ତି । ସରକାର ଏଦିଗରେ କୌଣସି ନିଷ୍ପତ୍ତି ନନେଲେ ଓମ୍ସା ପ୍ରତିବାଦରେ ସାମିଲ ହେବେ କନିଷ୍ଠ ଡାକ୍ତର । ଏନେଇ ଓମ୍ସା ସଭାପତି ଡା. କିଶୋର ଚନ୍ଦ୍ର ମିଶ୍ର ଏବଂ ସମ୍ପାଦକ ଡା. ସଞ୍ଜୀବ ପ୍ରଧାନ କହିଛନ୍ତି, ସରକାରଙ୍କୁ ସମସ୍ତ ବିଷୟରେ ଅବଗତ କରିଛୁ । ଓପିଡି ବନ୍ଦ ସମ୍ପର୍କରେ ଜନସାଧାରଣ ମଧ୍ୟ ଜାଣିଛନ୍ତି । ରୋଗୀଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ । ଯେକୌଣସି ଅଘଟଣ ପାଇଁ ସରକାର ହିଁ ଦାୟୀ ରହିବେ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି ।












Leave a Reply