ଅକ୍ଷର ବ୍ୟୁରୋ: ସହରାଞ୍ଚଳରେ ବସବାସ କରୁଥିବା ସ୍ୱଳ୍ପ ଆୟକାରୀ ବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ଭଡ଼ା ଘର । ବିଭିନ୍ନ ଜିଲ୍ଲାରେ ଖାଲି ପଡ଼ିଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘରଗୁଡ଼ିକୁ ମରାମତି କରି ଆର୍ଥିକ ଅନଗ୍ରସର ଲୋକଙ୍କୁ ରହିବା ପାଇଁ ଭଡ଼ା ସୂତ୍ରରେ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହର ୨.୦ ଅଧୀନରେ ସୁଲଭ ଭଡ଼ା ବାସଗୃହ (ଏଆରଏଚ୍) କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏଥିପାଇଁ ଖାଲି ପଡ଼ିଥିବା କିମ୍ବା ଅବ୍ୟବହୃତ ଘର ଚିହ୍ନଟ କରି ତାହାର ବିବରଣୀ ପ୍ରଦାନ କରିବା ଲାଗି ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି ।
ଏଥିରେ ଦର୍ଶାଯାଇଛି, ସହରାଞ୍ଚଳରେ ବାସ କରୁଥିବା ଗରିବ, ପ୍ରବାସୀ ଶ୍ରମିକ, ଶିଳ୍ପ କର୍ମଚାରୀ, ମହିଳା କର୍ମଜୀବୀ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ୱଳ୍ପ ମୂଲ୍ୟଯୁକ୍ତ ବାସଗୃହ ଆବଶ୍ୟକ କରିଥାନ୍ତି । ନିଜର ଘର ଖଣ୍ଡେ ନିର୍ମାଣ ପାଇଁ ଅସମର୍ଥ ଥିବା ଏପରି ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଭଡ଼ା ଘର ବେଶ୍ ଉପାଦେୟ ହୋଇପାରିବ । ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କୁ ଅପେକ୍ଷାକୃତ କମ୍ ଭଡ଼ାରେ ବାସଗୃହ ଯୋଗାଇ ଦେବା ପାଇଁ ପିଏମଏୱାଇ (ୟୁ)-୨.୦ରେ ପ୍ରାବଧାନ ରହିଛି । ଏହି ଯୋଜନା ଦୁଇଟି ବର୍ଗରେ କାର୍ଯ୍ୟକାରୀ ହେବ ।
ପ୍ରଥମ ମଡେଲରେ ଖାଲି ପଡ଼ିଥିବା ସରକାରୀ ଘରକୁ ସରକାରୀ ଘରୋଇ ଭାଗୀଦାରି (ପିପିପି) ମୋଡ୍ରେ ମରାମତି କରାଯାଇ ବାସ ଉପଯୋଗୀ କରାଯିବ । ସେହିପରି ଦ୍ୱିତୀୟ ମଡେଲରେ ସରକାରୀ/ଘରୋଇ ଅନୁଷ୍ଠାନ ଘର ନିର୍ମାଣ କରିବା ସହ ତାହାର ପରିଚାଳନା ଓ ମରାମତି ଦାୟିତ୍ୱ ନେବେ । ସେହି ଘରକୁ ଭଡ଼ା ସୂତ୍ରରେ ଦେଇ ବିନିଯୋଗ ହୋଇଥିବା ଅର୍ଥ ଆଦାୟ କରାଯିବ । ଦୀର୍ଘକାଳୀନ ଭାବେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏକ ସର୍ଭେ କରି ସ୍ଥାନୀୟ ପ୍ରଶାସନ ଘରଭଡ଼ା ନିର୍ଦ୍ଧାରଣ କରିବେ । ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଦୁଇ ବର୍ଷରେ ଘର ଭଡ଼ା ୮ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ । ତେଣୁ ସହରାଞ୍ଚଳରେ ଖାଲି ପଡ଼ିଥିବା କିମ୍ବା ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ ଆବଶ୍ୟକ । ସେଗୁଡ଼ିକୁ ଭଡ଼ା ସୂତ୍ରରେ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ପାଢ଼ୀ ନିଜ ପତ୍ରରେ ଦର୍ଶାଇଛନ୍ତି ।












Leave a Reply