ଅକ୍ଷର ବ୍ୟୁରୋ: ରାଜ୍ୟର କଲେଜ ପରିସରକୁ ନିଶାମୁକ୍ତ ଏବଂ ସୁରକ୍ଷିତ ଶିକ୍ଷା ପରିବେଶରେ ପରିଣତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ୫୦୦ ମିଟର ପରିସରକୁ ‘ନିଶାମୁକ୍ତ ଜୋନ୍’ ଭାବେ ଘୋଷଣା କରାଯିବ। ଏହି ଅଞ୍ଚଳ ମଧ୍ୟରେ ମଦ, ତମାଖୁ, ମାଦକ ଦ୍ରବ୍ୟ, ସାଇକୋଟ୍ରୋପିକ୍ ପଦାର୍ଥ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ବିକ୍ରୟ କେନ୍ଦ୍ର ସମ୍ପୂର୍ଣ୍ଣ ନିଷିଦ୍ଧ ରହିବ।
ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ସରଜମିନ ଯାଞ୍ଚ କରିବା ସହ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛି। କଲେଜ ପରିସରର ୫୦୦ ମିଟର ମଧ୍ୟରେ କୌଣସି ନିଶାଦ୍ରବ୍ୟ ବିକ୍ରୟ କେନ୍ଦ୍ର ଅଛି କି ନାହିଁ, ତାହା ଯାଞ୍ଚ କରି ନିର୍ଦ୍ଧାରିତ ତଥ୍ୟ HIMS ପୋର୍ଟାଲରେ ଆସନ୍ତା ୧୫ ଜୁଲାଇ ସୁଦ୍ଧା ଅପଲୋଡ୍ କରିବାକୁ ନିର୍ଦ୍ଦେଶ ରହିଛି। ନ୍ୟାସନାଲ ନାର୍କୋଟିକ୍ସ କୋଅର୍ଡିନେସନ୍ ର ନିର୍ଦ୍ଦେଶାବଳୀ ଅନୁସାରେ ଏହି ପଦକ୍ଷେପ ନିଆଯାଇଥିବା ବେଳେ, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ, ସୁସ୍ଥ ଓ ନିଶାମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି କରିବା।
ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ଏହି ଅଭିଯାନରେ ସମସ୍ତ କଲେଜର ସକ୍ରିୟ ଭୂମିକା ଆବଶ୍ୟକ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବା ସହ କଲେଜ ପରିସରକୁ ନିଶାମୁକ୍ତ ଅଞ୍ଚଳରେ ପରିଣତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଅଧ୍ୟକ୍ଷଙ୍କୁ କୁହାଯାଇଛି।














Leave a Reply