ଭୁବନେଶ୍ୱର: ଜାତୀୟ ମଞ୍ଚରେ ଚମକିଲା ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ। ମୁମ୍ବାଇରେ ଆୟୋଜିତ FICCI FRAMES 2026ରେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’ ସ୍ଥାପନ କରାଯାଇ ରାଜ୍ୟର ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ପ୍ରଦର୍ଶିତ କରାଯାଇଛି। ସେପ୍ଟେମ୍ବର ୨୯ ଓ ୩୦ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କାରିଗରୀ, ସୃଜନଶୀଳତା ଓ ମହିଳା ଉଦ୍ୟୋଗୀଙ୍କ ଦକ୍ଷତାକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରାଯାଇଛି। ଦେଶର ମିଡିଆ ଓ ମନୋରଞ୍ଜନ କ୍ଷେତ୍ରର ଏକ ପ୍ରମୁଖ ମଞ୍ଚ FICCI FRAMESରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’ ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ନୂଆ ବଜାର ସୁଯୋଗ ସୃଷ୍ଟି କରିଛି। ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଏଠାରେ ପ୍ରଦର୍ଶିତ ହୋଇଥିଲା।
ଏହି ପପ୍-ଅପ୍ ଷ୍ଟୋରକୁ ବଲିଉଡ୍ ଅଭିନେତା ରବି କିଶନ, ପ୍ରାଜକ୍ତା କୋଲି, ଅମୋଲ ପରାଶର, ରସିକା ଦୁଗଲଙ୍କ ସମେତ ଚର୍ଚ୍ଚିତ ଶେଫ୍ ରଣବୀର ବ୍ରାର ଓ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ପରିଦର୍ଶନ କରିଥିଲେ। ସେମାନଙ୍କୁ ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ସମ୍ବଳିତ ‘ସୁଭଦ୍ରା ଶକ୍ତି’ ଉପହାର ହ୍ୟାମ୍ପର ମଧ୍ୟ ପ୍ରଦାନ କରାଯାଇଥିଲା। ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’ ମାଧ୍ୟମରେ ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ହାତତିଆରି ଉତ୍ପାଦକୁ ବ୍ୟାପକ ବଜାରରେ ପହଞ୍ଚାଇବାର ସୁଯୋଗ ମିଳିଛି। ଏହା ରାଜ୍ୟର ମହିଳା ଉଦ୍ୟୋଗୀଙ୍କ ଉତ୍ପାଦକୁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାର ସହ ସଂଯୋଗ କରିବା ସହ ନୂଆ ବଜାର ସୁଯୋଗ ସୃଷ୍ଟି ଦିଗରେ ଏକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।














Leave a Reply