ବରିଷ୍ଠ ନାଗରିକ ଦିବସରେ ସମ୍ମାନ ଓ ସଶକ୍ତୀକରଣର ବାର୍ତ୍ତା: ସ୍ୱାସ୍ଥ୍ୟଠୁ ଆର୍ଥିକ ଯୋଜନା, ଭୁବନେଶ୍ୱରରେ ଦିନଭରି କାର୍ଯ୍ୟକ୍ରମ

ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁସ୍ଥ ଜୀବନ ଓ ଆର୍ଥିକ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ପାଳିତ ହୋଇଛି ୨୦୨୬ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ସମାଜ ପ୍ରତି ଅବଦାନକୁ ସମ୍ମାନ ଦିଆଯିବା ସହ ସେମାନଙ୍କ ସୁସ୍ଥ, ସୁରକ୍ଷିତ ଓ ସମ୍ମାନଜନକ ଜୀବନ ପାଇଁ ସଚେତନତା ସୃଷ୍ଟି କରାଯାଇଛି।

ସକାଳେ ଇନ୍ଦିରା ଗାନ୍ଧୀ ପାର୍କରେ ଯୋଗ ଓ ଆଧ୍ୟାତ୍ମିକ ଶିବିରରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଆର୍ଟ ଅଫ୍ ଲିଭିଂର ବରିଷ୍ଠ ପ୍ରଶିକ୍ଷକ ହରପ୍ରିୟା ମିଶ୍ର ଓ ଡାକ୍ତର ପ୍ରୀତିଷ କୁମାର ମିଶ୍ର ବରିଷ୍ଠ ନାଗରିକମାନଙ୍କୁ ସହଜ ଯୋଗାସନ ଓ ପ୍ରାଣାୟାମ ଶିଖାଇଥିଲେ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଓ ସକାରାତ୍ମକ ଜୀବନଶୈଳୀ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ପରେ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କକ୍ଷରେ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ କମିଶନର ତଥା ଶାସନ ସଚିବ ଡା. ବୃନ୍ଧା ଡି., ନିର୍ଦ୍ଦେଶିକା ପାରୁଲ ପଟୱାରୀ ଓ ଅତିରିକ୍ତ ସଚିବ ଦୀପକ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ତ୍ୟାଗ ଓ ଅବଦାନ ପାଇଁ କେବଳ ଗୋଟିଏ ଦିନ ନୁହେଁ, ବର୍ଷର ୩୬୫ ଦିନ ସେମାନଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି କହିଥିଲେ। ସନ୍ଥକବି ଭୀମ ଭୋଇଙ୍କ କାଳଜୟୀ ପଙ୍କ୍ତିର ଉଦାହରଣ ଦେଇ ସେ ବରିଷ୍ଠ ନାଗରିକଙ୍କ ନିଃସ୍ୱାର୍ଥପର ଅବଦାନକୁ ସ୍ମରଣ କରିଥିଲେ। ପରିବାରରେ ମୂଲ୍ୟବୋଧ ଓ ପିଢ଼ି ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ଜେଜେବାପା-ଜେଜେମା ଓ ନାତିନାତୁଣୀଙ୍କ ମଧ୍ୟରେ କାହାଣୀ ଓ ଅନୁଭବ ବିନିମୟର ଗୁରୁତ୍ୱ ଉପରେ ମଧ୍ୟ ସେ ଜୋର ଦେଇଥିଲେ।

ମୁଖ୍ୟ ବକ୍ତା ତଥା ସମ୍ମାନିତ ଅତିଥି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ ବରିଷ୍ଠ ନାଗରିକଙ୍କୁ ଆର୍ଥିକ ଯୋଜନା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଆୟକର, ରିଭର୍ସ ମୋର୍ଟଗେଜ୍, ଋଣ ଓ ଆସେଟ୍ ପ୍ଲାନିଂ ସମ୍ପର୍କରେ ସେ ଆଲୋଚନା କରିଥିଲେ। ଭବିଷ୍ୟତରେ ଜମିଜମା ଓ ସମ୍ପତ୍ତିକୁ ନେଇ ପାରିବାରିକ ବିବାଦ ଏଡ଼ାଇବା ପାଇଁ ସଠିକ୍ ଯୋଜନା କରିବାକୁ ସେ ପରାମର୍ଶ ଦେଇଥିଲେ। ନିବେଶ କ୍ଷେତ୍ରରେ ମଧ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ସେ ଗୁରୁତ୍ୱ ଦେଇଥିଲେ।

ସନ୍ଧ୍ୟାରେ ‘ଶ୍ୱେତ ପଦ୍ମ’ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଙ୍ଗୀତ ନିର୍ଦ୍ଦେଶକ ସିତାଂଶୁ ଶେଖର ରାଉତଙ୍କ ନିର୍ଦ୍ଦେଶନାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଣ୍ଠଶିଳ୍ପୀ ତାନ୍‌ସେନ୍ ସିଂହ, ସୁବାଷ ଦାସ, ଶ୍ରୀକର ପାଢ଼ୀ, ପ୍ରଶାନ୍ତ ସାମଲ, ଅନିନ୍ଦିତା ଦାସ ଓ ଛାନ୍ଦା ମିଶ୍ରଙ୍କ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ଆପ୍ଲୁତ କରିଥିଲା। ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସମ୍ମାନ, କଲ୍ୟାଣ ଓ ସଶକ୍ତୀକରଣ ପାଇଁ ବିଭାଗ ପକ୍ଷରୁ ନିରନ୍ତର ପଦକ୍ଷେପ ଜାରି ରହିବ ବୋଲି ଏହି ଅବସରରେ ପ୍ରତିବଦ୍ଧତା ଦୋହରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial