ଏଣିକି ଭିଡ଼ ହିଂସା ଓ ଦଙ୍ଗାକୁ ନିୟନ୍ତ୍ରଣ କରିବ ପୋଲିସର ଏକ ସ୍ୱତନ୍ତ୍ର ଫୋର୍ସ ।

ଅକ୍ଷର ବ୍ୟୁରୋ: ବାଲିଅନ୍ତା ବର୍ବରକାଣ୍ଡ ପରେ ପୋଲିସର ବଡ ପଦକ୍ଷେପ । ବାଲିଅନ୍ତା ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରିଛି । ଏହି ଫୋର୍ସର କମାଣ୍ଡୋମାନେ ଏଣିକି ଭିଡ଼ ହିଂସା ଓ ଦଙ୍ଗାକୁ ନିୟନ୍ତ୍ରଣ କରିବେ । ସ୍ପେଶାଲ ଟାକ୍ଟିକାଲ ୟୁନିଟ୍(ଏସ୍ଟିୟୁ) ଓ ସ୍ପେଶାଲ ଟାକ୍ଟିକାଲ ଗ୍ରୁପ୍(ଏସ୍ଟିଜି)କୁ ନେଇ ଏହି ସ୍ୱତନ୍ତ୍ର ଫୋର୍ସ ଗଢ଼ାଯାଇଛି । ଏସଟିୟୁ ଓ ଏସଟିଜିରେ ପ୍ରାୟ ୩୦ଜଣ ଲେଖାଏଁ କମାଣ୍ଡୋ ଅଛନ୍ତି । ସେମାନଙ୍କୁ ଅର୍ବାନ କମାଣ୍ଡୋ କୁହାଯାଉଛି । ଏମାନେ ଚନ୍ଦକାସ୍ଥିତ (ଏସ୍ଓଜି) କ୍ୟାମ୍ପରୁ ଟ୍ରେନିଂ ନେଇଛନ୍ତି । ସହରାଞ୍ଚଳରେ ଯେକୌଣସି ପ୍ରକାର ଆତଙ୍କୀ ହମଲାକୁ ପ୍ରତିହତ କରିବାରେ ଏମାନେ ସିଦ୍ଧହସ୍ତ ।

ଏହି ୨ଟି ଟିମର ଅର୍ବାନ କମାଣ୍ଡୋମାନେ ବିଧାନସଭା ଅଧିବେଶନ, ସହରକୁ କୌଣସି ଭିଭିଆଇପି ଆସିଲେ, ସହରରେ ବଡ଼ ରାଜନୈତିକ ସମାବେଶ ବେଳେ ଆତଙ୍କୀ ହମଲା ରୋକିବାକୁ ହେଲେ, ବିମାନବନ୍ଦରରେ ହାଇଆଲର୍ଟ ବେଳେ ଏମାନେ ନିୟୋଜିତ ହୁଅନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ, କୌଣସି ଜାଗାରେ ଭିଡ଼ ହିଂସା ଘଟିଲେ, ଇଆରସସ୍ଏସର ଗାଡି କିମ୍ବା ପିସିଆର୍ ଭ୍ୟାନ୍ କର୍ମଚାରୀମାନେ ପ୍ରଥମେ ସେଠାର ପହଞ୍ଚିଥାନ୍ତି । କିନ୍ତୁ ବାଲିଅନ୍ତାର ଭିଡ଼ ହିଂସା ବେଳେ ଉତ୍ତେଜନାମୂଳକ ସ୍ଥିତିକୁ ଆୟତ୍ତ କରିବାରେ ପିସିଆର କର୍ମଚାରୀ ବିଫଳ ହୋଇଥିଲେ । ଯେଉଁଥିପାଇଁ ପୋଲିସର ଛବି ମଳିନ ପଡ଼ିଥିଲା । ଏସବୁ ଘଟଣାର ପୁନରାବୃତ୍ତି ନ ହେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏଭଳି ଜରୁରୀ ସ୍ଥିତିରେ କମାଣ୍ଡୋମାନେ କେମିତି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବେ, ସେନେଇ ତାଲିମ୍ ଦିଆଯାଇଛି । ଆଗକୁ ସିଆଇଏସ୍ଏଫ୍ କିମ୍ବା ଅନ୍ୟ ଏଜେନ୍ସି କମାଣ୍ଡୋମାନଙ୍କୁ ତାଲିମ୍ ଦେବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)