ବରଯାତ୍ରୀଙ୍କ ନାଚଗୀତ ଭିତରେ ଘଟିଲା ଦୁର୍ଘଟଣା : ଡିଜେ ସାଉଣ୍ଡ ସହ୍ୟ କରି ନପାରି ଚାଲିଗଲା ମହିଳାଙ୍କ ଜୀବନ

ଅକ୍ଷର ବ୍ୟୁରୋ: ବିବାହ ଉତ୍ସବର ଖୁସି ମୁହୂର୍ତ୍ତ ହଠାତ୍ ଏକ ପରିବାର ପାଇଁ ଦୁଃଖର ପାହାଡ଼ ଆଣିଦେଲା। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ରହ୍ମପୁରା ଅଞ୍ଚଳରେ ଡିଜେର ତୀବ୍ର ଶବ୍ଦ ସହ୍ୟ କରିନପାରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଥିବାବେଳେ ଡିଜେ ସାଉଣ୍ଡର ବେଆଇନ ଓ ଅତ୍ୟଧିକ ବ୍ୟବହାର ନେଇ ପୁଣି ପ୍ରଶ୍ନ ଉଠିଛି।

ମୃତ ମହିଳାଙ୍କ ନାମ ଲୋଚନା ବହୁକ। ସୂଚନା ଅନୁଯାୟୀ, ସେ ଗାଁର ଏକ ନଳକୂଅ ନିକଟରେ ନାତୁଣୀଙ୍କୁ ଗାଧୋଇ ଦେଉଥିବା ସମୟରେ ସେହି ରାସ୍ତା ଦେଇ ଏକ ବିବାହ ଶୋଭାଯାତ୍ରା ଯାଉଥିଲା। ଶୋଭାଯାତ୍ରାରେ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବା ବେଳେ ବରଯାତ୍ରୀମାନେ ନାଚଗୀତରେ ମସଗୁଲ ଥିଲେ।

ପରିବାର ଲୋକଙ୍କ କହିବା ଅନୁସାରେ, ଡିଜେର ପ୍ରବଳ ଶବ୍ଦ ଯୋଗୁଁ ଲୋଚନା ଅସୁସ୍ଥତା ଅନୁଭବ କରିଥିଲେ। ସେ ଡିଜେର ଶବ୍ଦ କମ୍ କିମ୍ବା ବନ୍ଦ କରିବାକୁ ଅନୁରୋଧ କରିଥିଲେ, ହେଲେ ତାଙ୍କ କଥାକୁ କେହି ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି। କିଛି ସମୟ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତକଙ୍କ ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଡିଜେର ଅତ୍ୟଧିକ ଶବ୍ଦ ପ୍ରଭାବରେ ଲୋଚନାଙ୍କ ମସ୍ତିଷ୍କର ଏକ ଶିରା (ଭେନ୍) ଫାଟିଯାଇଥିଲା, ଯାହା ତାଙ୍କ ମୃତ୍ୟୁର କାରଣ ହୋଇଥିଲା। ତେବେ ଏନେଇ ଚିକିତ୍ସା ସମ୍ପର୍କିତ ସରକାରୀ ରିପୋର୍ଟ କିମ୍ବା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ। ଲୋଚନା ବହୁକ ରାସ୍ତା କଡ଼ରେ ଏକ ଛୋଟ ହୋଟେଲ ଚଳାଇ ପରିବାରର ଜୀବିକା ନିର୍ବାହ କରୁଥିଲେ। ତାଙ୍କ ଅକାଳ ବିୟୋଗ ପରେ ପରିବାର ଆର୍ଥିକ ଓ ମାନସିକ ଭାବେ ଭାଙ୍ଗିପଡ଼ିଛନ୍ତି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)