ପ୍ରଣବଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ୍: ୪୮ ଘଣ୍ଟାରେ ଗିରଫ ହେବେ ଅଭିଯୁକ୍ତ

ଯାଜପୁର: ବିଜେଡି ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣାରେ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଏନେଇ ପ୍ରତିଶ୍ରୁତି ଦେଇଛନ୍ତି ଯାଜପୁର ଏସ୍‌ପି ୟଶ ପ୍ରତାପ ଶ୍ରୀମଲ। ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାକୁ ନେଇ ଏତଲା ଦାୟର ହୋଇଥିବା ବେଳେ ପୋଲିସ ପକ୍ଷରୁ ସିସିଟିଭି ଓ ମୋବାଇଲ ଫୁଟେଜ୍ ଯାଞ୍ଚ ଜାରି ରହିଛି। ଏସ୍‌ପିଙ୍କ ପ୍ରତିଶ୍ରୁତି ପରେ ବିଜେଡି ନେତା ଓ କର୍ମୀମାନେ ଧାରଣାରୁ ଉଠିଛନ୍ତି। ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ତେଜିଛି। ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ ନେଇ ରାଜ୍ୟ ସରକାର ଓ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଖୋଲା ଦିବାଲୋକରେ ଜଣେ ଜନପ୍ରତିନିଧିଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ପୋଲିସ ଓ ସରକାର କାହିଁକି ନିରବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ଜେନାପୁର ଥାନା ଅଧୀନ ମଧୁପୁରଗଡ଼ରେ ପ୍ରଣବ ବଳବନ୍ତରାୟଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ପୋଲିସ ଉପସ୍ଥିତିରେ ଜଣେ ଜନପ୍ରତିନିଧିଙ୍କ ଉପରେ ଏଭଳି ଆକ୍ରମଣ ହେବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ‘ଅପରାଧୀଙ୍କୁ ଏ ସାହସ କିଏ ଦେଉଛି? ଓଡ଼ିଶାରେ ଆଇନର ଶାସନ ଚାଲିଛି ନା ଗୁଣ୍ଡାଙ୍କର?’ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ବର୍ତ୍ତମାନ ସରକାରରେ ଜନପ୍ରତିନିଧି ଅସୁରକ୍ଷିତ ହୋଇପଡ଼ିଥିବା ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ମଧ୍ୟ ପ୍ରଭାବିତ ହୋଇଥିବା ନବୀନ ଅଭିଯୋଗ କରିଛନ୍ତି। ଧର୍ମଶାଳା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ଦାବି କରି ସେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତ କରିବାକୁ ସରକାର ଚାହୁଁଛନ୍ତି କି? ବୋଲି ମଧ୍ୟ ନବୀନ ପ୍ରଶ୍ନ କରିଛନ୍ତି। ଏଭଳି ଅପରାଧିକ କାର୍ଯ୍ୟ ବିରୋଧରେ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ସେ ପଚାରିଛନ୍ତି। ଓଡ଼ିଶାବାସୀ ସବୁକିଛି ଦେଖୁଛନ୍ତି ଏବଂ ସବୁର ହିସାବ ରଖୁଛନ୍ତି ବୋଲି କହିବା ସହ ଏଭଳି ଅରାଜକତା ଓ କୁଶାସନର ଉଚିତ ଜବାବ ଲୋକେ ଦେବେ ବୋଲି ନବୀନ କହିଛନ୍ତି। ଅନ୍ୟପକ୍ଷରେ, ଏସ୍‌ପିଙ୍କ ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ପ୍ରତିଶ୍ରୁତି ପରେ ଏବେ ପୋଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି। ସିସିଟିଭି ଓ ମୋବାଇଲ ଫୁଟେଜ୍ ଯାଞ୍ଚ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବାକୁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial