ଅକ୍ଷର ବ୍ୟୁରୋ: ଗିରଫ ହେଲେ କୋଟିପତି ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରୀୟ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଏବଂ ଦୀର୍ଘ ସମୟର ଜେରା ପରେ ବାବୁଙ୍କୁ ବାନ୍ଧିଛି ତଦନ୍ତକାରୀ ଟିମ୍ । ରେଡ୍ ବେଳେ ବାବୁଙ୍କ କଳା ସାମ୍ରାଜ୍ୟର ଚିତ୍ର ସାମ୍ନାକୁ ଆସିଛି । ସବୁଠୁ ରୋମାଞ୍ଚକର କଥା ହେଲା, ରାଜେଶଙ୍କ ପାଖକୁ ଲଫାପାରେ ଆସୁଥିଲା ଲାଞ୍ଚ ଟଙ୍କା । ପ୍ରତି ଲଫାପା ଉପରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ବିଭିନ୍ନ ପ୍ରୋଜେକ୍ଟର ନାଁ । ଅର୍ଥାତ୍ କେଉଁ ପ୍ରକଳ୍ପରୁ କେତେ ପିସି ବାବୁଙ୍କ ପାଖକୁ ଆସିବ, ତାହାର ସମ୍ପୂର୍ଣ୍ଣ ହିସାବ ସେହି ଲଫାପା ଭିତରେ ରହୁଥିଲା । ଏହି ଲଫାପା କାରବାରରେ କେବଳ ରାଜେଶ ଥିଲେ ନା ଆଉ କେଉଁ ବଡ଼ ପଣ୍ଡାଙ୍କ ହାତ ରହିଛି, ତାକୁ ନେଇ ଏବେ ଖୋଳତାଡ଼ ଜାରି ରହିଛି।
ଚଢ଼ାଉ ବେଳେ ରାଜେଶଙ୍କ ଘରୁ ମିଳିଛି ୧ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୩୫୦ ଗ୍ରାମ ସୁନା ଏବଂ ନଗଦ ୬ ଲକ୍ଷରୁ ଅଧିକ ଟଙ୍କା । କେବଳ ସେତିକି ନୁହେଁ, ଭୁବନେଶ୍ୱରରେ ଏକ ବହୁତଳ କୋଠା ସହ ୮ଟି ପ୍ଲଟ୍ ଏବଂ ଏକ ବିଳାସପୂର୍ଣ୍ଣ ଫାର୍ମ ହାଉସ୍ ମଧ୍ୟ ଠାବ କରିଛି ଭିଜିଲାନ୍ସ । ଏପରିକି ବାବୁଙ୍କ ଶୌକ ଏତେ ଥିଲା ଯେ, ତାଙ୍କ ପାଖରୁ ମାଳମାଳ ଦାମୀ ଘଣ୍ଟା ଓ ଚଷମା ମଧ୍ୟ ଜବତ କରାଯାଇଛି । ସରକାରୀ ଟଙ୍କାକୁ ଲୁଟି ନିଜ ଗୁଜୁରାଣ ମେଣ୍ଟାଉଥିବା ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଅସଲ ଚେହେରା ଏବେ ସର୍ବସମ୍ମୁଖକୁ ଆସିଛି ।












Leave a Reply