କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି; ବିଜ୍ଞାପନ ହୋଡିଂ ଭୁଷୁଡି ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ

ଅକ୍ଷର ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଝଡବର୍ଷା ହେବା ସହ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ ରଚିଛି । ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ବର୍ଷା ପବନ ଯୋଗୁ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ପବନ ବୋହିବା ଯୋଗୁ ଖଣ୍ଡଗିରି ଥାନା ଆଇଗିଣିଆ ଛକ ଦୁର୍ଗା ମଣ୍ଡପ ନିକଟରେ ଏକ ବିଜ୍ଞାପନ ହୋଡିଂ ପଡି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସମେତ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଆସ୍କାର ଟୁନା ଗୌଡ(୩୭) ଓ ଡୁମଡୁମା ଅଞ୍ଚଳର ସଚ୍ଚିତାନନ୍ଦ ପ୍ରଧାନ(୧୯) ଗୁରୁତର ଜଣକ ହେଲେ ଡୁମୁଡୁମା ଅଞ୍ଚଳର ମୌସୁମୀ ପ୍ରିୟଦର୍ଶିନୀ ନାୟକ ।

ମୌସୁମୀ ଜଣେ ଅଧ୍ୟାପିକା ବୋଲି ଜଣାପଡିଛି । ଅନ୍ୟ ଜଣେ ଆହତଙ୍କ ପରିଚୟ ଜଣାପଡିନାହିଁ । ହୋଡିଂ ଭାଙ୍ଗିବା ଯୋଗୁ ୪/୫ ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଇଛି । ହୋଡିଂ ଭୁଷୁଡିବା ବେଳେ ସେଠାରେ ଥିବା ଲୋକ ଭୟଭୀତ ହୋଇ ଏଣେତେଣେ ଦୌଡିଥିଲେ । କେତେକ ସ୍ଥାନରେ ତାର ଛିଣ୍ଡି ବିଦ୍ୟୁତ ସେବା ବ୍ୟାଘାତ ଘଟିଛି । ରାତି ସୁଧା ରାଜଧାନୀ ଉପକଣ୍ଠ ତମାଣ୍ଡୋ, କଳିଙ୍ଗନଗର, ଆଇଗିଣିଆ, ଭରତପୁର ଆଦି କେତେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ହୋଇନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)