ମାଲକାନଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ କାର୍ଯ୍ୟରତ ଏବଂ DRDA, ମାଲକାନଗିରିକୁ ସଂଲଗ୍ନ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କୁ ଆଜି ବ୍ରହ୍ମପୁରସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯିବ। ଭିଜିଲାନ୍ସ ପକ୍ଷରୁ ଶିଶିର କୁମାର ଦାଶଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ଉ ଓ ତଲାସି କରାଯାଇଥିଲା। ତଲାସି ବେଳେ ତାଙ୍କ ନାମରେ ଓ ପରିବାର ସଦସ୍ୟଙ୍କ ନାମରେ ବହୁ ପରିମାଣର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ କହିଛି। ଠାବ ସମ୍ପତ୍ତିର ଉତ୍ସ ସମ୍ପର୍କରେ ଶିଶିର ଦାଶ ସନ୍ତୋଷଜନକ ହିସାବ ଦେଇପାରିନଥିବା ଅଭିଯୋଗ ରହିଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଶିଶିର ଦାଶଙ୍କ ନାମରେ ଓ ପରିବାର ସଦସ୍ୟଙ୍କ ନାମରେ ପ୍ରାୟ ୯,୩୦୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଦୁଇଟି ବହୁତଳ କୋଠା ଠାବ ହୋଇଛି। ଏଥିରେ ଭୁବନେଶ୍ୱର ବରମୁଣ୍ଡାରେ ୬,୭୬୦ ବର୍ଗଫୁଟ୍ର ୪ ମହଲା କୋଠା ଓ ବ୍ରହ୍ମପୁର ନୀଳାଚଳ ନଗରରେ ୨,୫୦୦ ବର୍ଗଫୁଟ୍ର ୨ ମହଲା କୋଠା ସାମିଲ ରହିଛି। ସେହିପରି ବ୍ରହ୍ମପୁରରେ ୩ଟି, ପୁରୀରେ ୧ଟି, ଖୋର୍ଦ୍ଧାରେ ୧ଟି ଏବଂ ଗଞ୍ଜାମ ଜିଲ୍ଲା ଗୋବରା ଅଞ୍ଚଳରେ ୧ଟି ମିଶାଇ ମୋଟ ୬ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି। ଏହାସହ ତାଙ୍କ ନାମରେ ୮୨ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଅନ୍ୟାନ୍ୟ ଜମା ଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡ଼ିଛି।
ତଲାସି ବେଳେ ଗୋଟିଏ ହୁଣ୍ଡାଇ ଆଇ-୧୦ କାର୍ ସହ ୩ଟି ଦୁଇଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି। ଏହା ବ୍ୟତୀତ ଘର ଓ କାର୍ଯ୍ୟାଳୟରୁ ଜମିଜମା ଦସ୍ତାବିଜ, ବ୍ୟାଙ୍କ ଓ ଡାକଘର ଜମା, ବିଭିନ୍ନ ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଜବତ ଓ ଯାଞ୍ଚ କରାଯାଇଛି। ଭିଜିଲାନ୍ସର ୬ଟି ଟିମ୍ ଏକକାଳୀନ ୬ଟି ଠିକଣାରେ ଚଢ଼ଉ କରିଥିଲେ। ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୫ ଜଣ ଡିଏସ୍ପି ଓ ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଟିମ୍ ଭୁବନେଶ୍ୱର, ବ୍ରହ୍ମପୁର, ଗଞ୍ଜାମ ଓ ମାଲକାନଗିରିର ବିଭିନ୍ନ ଠିକଣାରେ ତଲାସି କରିଥିଲେ।
ଏଥିରେ ଭୁବନେଶ୍ୱର ବରମୁଣ୍ଡାରେ ଥିବା ୪ ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରରେ ୨ ମହଲା କୋଠା, ଗଞ୍ଜାମ ଜିଲ୍ଲା ବାସୁଦେବପୁର (ଗୋବରା)ରେ ଥିବା ଘର, ବ୍ରହ୍ମପୁର ଗଜପତିନଗରରେ ପୈତୃକ ଘର, ମାଲକାନଗିରିର ଭଡ଼ାଘର ଏବଂ ମାଲକାନଗିରି DRDA କାର୍ଯ୍ୟାଳୟରେ ଥିବା ଚାମ୍ବର ସାମିଲ ଥିଲା। ଏହି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ କେସ୍ ନମ୍ବର ୧୧/୨୦୨୬ ରୁଜୁ ହୋଇଛି। ଠାବ ସମ୍ପତ୍ତିର ମୂଲ୍ୟ ଓ ଆୟ ଉତ୍ସ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଅଧିକ ଯାଞ୍ଚ ଜାରି ରହିଛି। ଚଢ଼ଉ ପ୍ରକ୍ରିୟା ସମୟରେ ଆହୁରି ସମ୍ପତ୍ତି ଠାବ ହେବାର ସମ୍ଭାବନା ଥିବା ମଧ୍ୟ ସୂଚନା ମିଳିଛି।














Leave a Reply