ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଓ ବେସରକାରୀ ସମସ୍ତ ସ୍କୁଲରେ ଆଜି ପାଠପଢ଼ା ବନ୍ଦ ରହିବ। ଜିଲ୍ଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଅନେକ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅସୁବିଧାଜନକ ପାଗ ପରିସ୍ଥିତି ଏବଂ ସମ୍ଭାବ୍ୟ ବିପଦକୁ ଆଖିଆଗରେ ରଖି ସୁରକ୍ଷାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ପାଣିପାଗ ଅନୁକୂଳ ନ ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏକ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ପରିସ୍ଥିତିର ସମୀକ୍ଷା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏପଟେ ଲଗାଣ ବର୍ଷାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଥିବାରୁ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ନଯିବା, ନଦୀ-ନାଳ ଓ ଜଳାଶୟ ନିକଟକୁ ନଯିବା ଏବଂ ପ୍ରଶାସନର ପରାମର୍ଶ ପାଳନ କରିବାକୁ ସାଧାରଣ ଲୋକଙ୍କୁ ଅପିଲ କରାଯାଇଛି। ପାଣିପାଗର ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନିରନ୍ତର ନଜର ରଖିଥିବାବେଳେ,ପରିସ୍ଥିତି ସ୍ୱାଭାବିକ ହେଲେ ସ୍କୁଲ ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି।














Leave a Reply