ଭୋଜିକୁ ଡାକି ସାଙ୍ଗକୁ ହତ୍ୟା ଅଭିଯୋଗ! କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, ୨ ସନ୍ଦିଗ୍ଧ ଅଟକ

ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଭୋଜିକୁ ଡାକି ନେଇ ସାଙ୍ଗମାନେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ, ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ତଦନ୍ତକୁ ଜୋରଦାର କରିଛି। ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଧୀନ ତରଜଙ୍ଗା ଗାଁର। ମୃତ ଯୁବକ ହେଲେ ଅମରଜିତ କର। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ୨୯ ତାରିଖ ଦିନ ପ୍ରାୟ ୨ଟା ସମୟରେ ଅମରଜିତଙ୍କ ସାଙ୍ଗ ମୃତ୍ୟୁଞ୍ଜୟ ଓ ମଣ୍ଟୁ ତାଙ୍କୁ ଫୋନ୍ କରି ଭୋଜିକୁ ଡାକିଥିଲେ। ଅମରଜିତ ଘରୁ ବାହାରିଯିବା ପରେ କିଛି ସମୟ ମଧ୍ୟରେ ପରିବାର ଲୋକେ ତାଙ୍କର ଦୁର୍ଘଟଣା ଘଟିଥିବା ଖବର ପାଇଥିଲେ।

ଗୁରୁତର ଆହତ ଅବସ୍ଥାରେ ଅମରଜିତଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ସମୟ ଧରି ଚିକିତ୍ସା ପରେ ଗତକାଲି ଅମରଜିତଙ୍କ ମୃତ୍ୟୁ ଘଟିଛି। ଅମରଜିତ ନିକଟରେ କେନ୍ଦ୍ରାପଡ଼ାର ଏକ ରେସିଡେନ୍ସିଆଲ୍ କଲେଜରୁ ଯୁକ୍ତ ଦୁଇ ପାସ୍ କରିଥିବା ଜଣାପଡ଼ିଛି।

ଘଟଣାକୁ ନେଇ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଅମରଜିତଙ୍କୁ ପ୍ରଥମେ ବିଷ ଦିଆଯାଇଥିଲା ଏବଂ ପରେ ନିର୍ମମ ଭାବେ ମାଡ଼ ମରାଯାଇଥିଲା। ପରେ ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଦାବି କରି ପରିବାର ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଡେରାବିଶ ପୁଲିସ ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିଛି। ଏପର୍ଯ୍ୟନ୍ତ ୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ, ଏହା ସତରେ ଦୁର୍ଘଟଣା ନା ସୁପରିକଳ୍ପିତ ହତ୍ୟା, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଏହି ଘଟଣା ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ତଦନ୍ତରୁ କେଉଁ ସତ୍ୟ ସାମ୍ନାକୁ ଆସୁଛି ଓ ଅଭିଯୁକ୍ତଙ୍କ ବିରୋଧରେ କେଉଁଭଳି କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial