ଅକ୍ଷର ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଚାଞ୍ଚଲ୍ୟକର ଘଟଣା। ଜଣେ ନାବାଳିକାଙ୍କୁ ଅପହରଣ କରି ଜଙ୍ଗଲ ମଧ୍ୟରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ପରେ ପୀଡ଼ିତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଅଭିଯୋଗ ମିଳିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଓ ଅସନ୍ତୋଷ ସୃଷ୍ଟି କରିଛି।
ସୂଚନା ଅନୁସାରେ, ପୀଡ଼ିତା ନାବାଳିକା ଛତିଶଗଡ଼ରୁ ନିଜ ମାମୁଘରକୁ ଆସିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ବାଇକ୍ରେ ବସାଇ ଏକ ନିଛାଟିଆ ଜଙ୍ଗଲ ଅଞ୍ଚଳକୁ ନେଇଥିବା ଏବଂ ସେଠାରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସେହି ସ୍ଥାନରେ ଛାଡ଼ି ଅଭିଯୁକ୍ତମାନେ ପଳାଇଯାଇଥିବା କୁହାଯାଉଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ତଳସରା ପୁଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ପୁଲିସ୍ ୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଆଉ ୨ ଜଣ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୁଲିସ୍ ପକ୍ଷରୁ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବାବେଳେ, ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ, ପୁଲିସ୍ର ତଦନ୍ତ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।
















Leave a Reply