SCBରେ କୋଟିଏରୁ ଅଧିକ ଟଙ୍କା ହେରଫେର ଅଭିଯୋଗ! ୧୦ ବର୍ଷ ଧରି ଚାଲିଥିଲା କି ଆର୍ଥିକ ଗଡ଼ବଡ଼?

ଅକ୍ଷର ବ୍ୟୁରୋ: କଟକସ୍ଥିତ SCB ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବଡ଼ ଧରଣର ଆର୍ଥିକ ହେରଫେର ଅଭିଯୋଗ ସାମ୍ନାକୁ ଆସିଛି । ଦୀର୍ଘ ୧୦ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା କର୍ମଚାରୀଙ୍କ ପ୍ରାପ୍ୟ ବାବଦରେ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ବିଶେଷକରି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ TA, DA, ଏରିଅର, ଷ୍ଟଡି ଟୁର୍‌ ଏବଂ ମାଟର୍ନିଟି ଲିଭ୍‌ ବାବଦରେ ମିଳିବାକୁ ଥିବା ଟଙ୍କାରେ ଗଡ଼ବଡ଼ ହୋଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ, କର୍ମଚାରୀଙ୍କ ପ୍ରାପ୍ୟ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବା ବଦଳରେ ଅନ୍ୟତ୍ର ହଡ଼ପ କରାଯାଇଥିବା ସନ୍ଦେହ ରହିଛି । ଆଶ୍ଚର୍ଯ୍ୟର କଥା, ଯେଉଁ କର୍ମଚାରୀଙ୍କ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି, ସେମାନେ ମଧ୍ୟ ଦୀର୍ଘ ସମୟ ଧରି ଏନେଇ ଅବଗତ ନଥିଲେ ।

ସୂଚନା ଅନୁସାରେ, ଆକାଉଣ୍ଟାଣ୍ଟ ଜେନେରାଲ୍‌ଙ୍କ ଅଡିଟ୍‌ ସମୟରେ ଏହି ଆର୍ଥିକ ଅନିୟମିତତା ଧରାପଡ଼ିଥିଲା । ଏନେଇ ଗତ ସପ୍ତାହରେ SCB ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି । ଘଟଣା ସାମ୍ନାକୁ ଆସିବା ପରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ଟଙ୍କା ପ୍ରଦାନ ପୂର୍ବରୁ ଏକାଧିକ ସ୍ତରରେ ଯାଞ୍ଚ ବ୍ୟବସ୍ଥା ରହିଛି । ପ୍ରଥମେ ଡାଟା ଏଣ୍ଟ୍ରି ଅପରେଟର ତଥ୍ୟ କମ୍ପ୍ୟୁଟରରେ ଏଣ୍ଟ୍ରି କରନ୍ତି । ପରେ ଡିଲିଂ ଆସିଷ୍ଟାଣ୍ଟ ତଥ୍ୟ ଯାଞ୍ଚ କରନ୍ତି । ଏହାପରେ ଆକାଉଣ୍ଟାଣ୍ଟ ଓ କ୍ୟାସିୟରଙ୍କ ମାଧ୍ୟମରେ ବିଲ୍‌ DDOଙ୍କ ନିକଟକୁ ଯାଏ । DDOଙ୍କ ଅନୁମୋଦନ ପରେ ବିଲ୍‌ ଟ୍ରେଜେରିକୁ ପଠାଯାଏ ।

ଟ୍ରେଜେରି ଯାଞ୍ଚ ପରେ Public Financial Management System (PFMS) ମାଧ୍ୟମରେ ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ଟଙ୍କା ପଠାଯାଏ । ତେବେ ଏତେଗୁଡ଼ିଏ ଯାଞ୍ଚ ବ୍ୟବସ୍ଥା ଥିବା ସତ୍ତ୍ୱେ ୧୦ ବର୍ଷ ଧରି ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ହେରଫେର କିପରି ହେଲା? ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । କିଏ ଏହି ଆର୍ଥିକ ହେରଫେରରେ ସମ୍ପୃକ୍ତ? କେଉଁ ପ୍ରକ୍ରିୟାରେ ଟଙ୍କା ଅନ୍ୟତ୍ର ଯାଇଥିଲା? ଏବଂ ଏଥିରେ କେତେଜଣଙ୍କ ଭୂମିକା ରହିଛି? ଅଡିଟ୍‌ରେ ଗଡ଼ବଡ଼ ଧରାପଡ଼ିବା ପରେ ଏସବୁ ଦିଗରେ ତଦନ୍ତ ହେବ । ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ, ଏବେ ତା’ଉପରେ ନଜର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial