କୋଲ୍ଡ ଡ୍ରିଙ୍କ୍ସରେ ନିଶା ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ପଟିଆରେ ଚାଞ୍ଚଲ୍ୟ, ଘର ମାଲିକ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ। ଘରେ କାମ କରୁଥିବା ଜଣେ ମହିଳାଙ୍କୁ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଦେଇ ନିଶା ଦେବା ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ମାମଲାରେ ଅଭିଯୁକ୍ତ ଘର ମାଲିକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅଞ୍ଚଳର ରଞ୍ଜନ କୁମାର ମହାରଣା। ରଞ୍ଜନ ପଟିଆ ଅଞ୍ଚଳରେ ଭଡ଼ା ଘରେ ରହୁଥିବା ବେଳେ ଅଭିଯୋଗକାରୀ ମହିଳା ତାଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ।

ସୂଚନା ଅନୁଯାୟୀ, ମହିଳାଙ୍କ ସ୍ୱାମୀ ମଧ୍ୟ ଅଭିଯୁକ୍ତଙ୍କ ଘରକୁ ଯିବାଆସିବା କରୁଥିଲେ। ଉଭୟ ପରିବାର ମଧ୍ୟରେ ଭଲ ସମ୍ପର୍କ ରହିଥିବା କୁହାଯାଉଛି। ତେବେ ଏହି ସମ୍ପର୍କର ସୁଯୋଗ ନେଇ ଅଭିଯୁକ୍ତ ମହିଳାଙ୍କୁ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଦେଇଥିଲେ। ଏଥିରେ ନିଶାଦ୍ରବ୍ୟ ମିଶାଯାଇଥିବା ଏବଂ ମହିଳା ଅସ୍ୱାଭାବିକ ଅବସ୍ଥାରେ ଥିବା ସମୟରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରି ରଞ୍ଜନ କୁମାର ମହାରଣାଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।

ଏହାର କିଛି ଦିନ ପୂର୍ବରୁ ରାଉରକେଲା ରେଳ ଷ୍ଟେସନ ପରିସରରୁ ମଧ୍ୟ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଥିଲା। କନଫର୍ମ ଟିକେଟ୍ କରାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଷ୍ଟେସନର ଭାଲ୍ଟ ରୁମ୍‌କୁ ନେଇ ଜଣେ ରେଳ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ରେଳ କର୍ମଚାରୀଙ୍କ ବୟସ ୫୪ ବର୍ଷ ବୋଲି ଜଣାପଡ଼ିଥିଲା। ଷ୍ଟେସନର ଏକ ଭାଲ୍ଟ ରୁମ୍ ଭିତରେ ଯୁବତୀଙ୍କ ସହ ଏଭଳି ଘଟଣା ଘଟିଥିବା ନେଇ ଅଭିଯୋଗ ପରେ ରାଉରକେଲା ସରକାରୀ ରେଳବାଇ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା। ପୁଲିସ ଅଭିଯୁକ୍ତ ରେଳ କର୍ମଚାରୀଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିଲା। ଏବେ ପଟିଆ ଘଟଣାରେ ମଧ୍ୟ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ ମହିଳାଙ୍କ ସୁରକ୍ଷା ଓ ଅପରାଧ ରୋକିବା ନେଇ ପୁଲିସର ତଦନ୍ତ ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial