ଯୌତୁକ ପାଇଁ ନିର୍ଯାତନା, ଜୋରଜବରଦସ୍ତ ଭ୍ରୂଣହତ୍ୟା ଅଭିଯୋଗ

ଅକ୍ଷର ବ୍ୟୁରୋ: ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା । କାର୍ ଓ ବୁଲେଟ୍ ଦାବି କରି ମାରପିଟ୍ ସହ ଅତ୍ୟାଚାର । ଏପରିକି ଜୋରଜବରଦସ୍ତ ଭାବେ ଭ୍ରୂଣହତ୍ୟା କରାଯାଇଥିବା ନେଇ ଆସିଛି ସଂଗିନ ଅଭିଯୋଗ । ଏଭଳି ଅଭିଯୋଗ ଆଣି ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପୀଡ଼ିତା ।

ସୂଚନା ଅନୁସାରେ, ୨୦୧୯ ମସିହାରେ ଢେଙ୍କାନାଳ ଜିଲ୍ଲାର ସର୍ବେଶ୍ୱର ବେହେରାଙ୍କୁ ବିବାହ କରିଥିଲେ ମହିଳା । ସର୍ବେଶ୍ୱର ଅଗ୍ନିଶମ ବିଭାଗରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବେଳେ ଉଭୟଙ୍କର ଏକ ପୁଅ ମଧ୍ୟ ରହିଛି । ତେବେ ବିବାହର କିଛି ଦିନ ପରେ ହିଁ ସ୍ୱାମୀଙ୍କ ଅତ୍ୟାଚାର ବଢ଼ିଥିବା ମହିଳା ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ, ଅଧିକ ଯୌତୁକ ଦାବି କରି ସ୍ୱାମୀ ତାଙ୍କୁ ନିୟମିତ ଭାବେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଯୌତୁକ ବାବଦରେ ଏକ କାର୍ ଓ ବୁଲେଟ୍ ଗାଡ଼ି ଦାବି କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ଜୋରଜବରଦସ୍ତ ଭାବେ ତାଙ୍କର ଭ୍ରୂଣହତ୍ୟା କରାଯାଇଥିବା ମଧ୍ୟ ମହିଳା ଅଭିଯୋଗ ଆଣିଛନ୍ତି ।

କେବଳ ଏତିକି ନୁହେଁ, ନିଜ ପୁଅକୁ ମାରିଦେବା ପାଇଁ ମଧ୍ୟ ଧମକ ଦିଆଯାଉଥିବା ସେ କହିଛନ୍ତି । ଘଟଣାକୁ ନେଇ ପୂର୍ବରୁ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ପକ୍ଷରୁ ଆଶାନୁରୂପ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ପୁଲିସରୁ ନ୍ୟାୟ ନମିଳିବା ଅଭିଯୋଗ କରି ଶେଷରେ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହିଳା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଡିସିପିଙ୍କ ନିକଟରେ ଦାବି କରିଛନ୍ତି । ତେବେ ଅଭିଯୋଗର ସତ୍ୟତା ଓ ଘଟଣାର ପ୍ରକୃତ କାରଣ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial