ଝାଡ଼ାବାନ୍ତି ସଚେତନତା ନାଁରେ ଦେଢ଼ କୋଟି ଟଙ୍କା ଅନିୟମିତତା ଅଭିଯୋଗ, ଯାଜପୁରରେ ସ୍ୱାସ୍ଥ୍ୟ ବିଭାଗର ତନାଘନା ତଦନ୍ତ

ଯାଜପୁର: ଝାଡ଼ାବାନ୍ତି ସଚେତନତା କାର୍ଯ୍ୟକ୍ରମ ନାଁରେ ଦେଢ଼ କୋଟିରୁ ଅଧିକ ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗକୁ ନେଇ ଯାଜପୁରରେ ତନାଘନା ତଦନ୍ତ ଆରମ୍ଭ ହୋଇଛି। ଏହି ଅଭିଯୋଗର ଖୋଳତାଡ଼ ପାଇଁ ସ୍ୱାସ୍ଥ୍ୟ ବିଭାଗର ଚାରିଜଣିଆ ତଦନ୍ତକାରୀ ଟିମ୍‌ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ଅତିରିକ୍ତ ନିର୍ଦ୍ଦେଶକ ଡ. ପାଇକରାୟଙ୍କ ନେତୃତ୍ୱରେ ଟିମ୍‌ଟି ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତଦନ୍ତକାରୀ ଟିମ୍‌ ପକ୍ଷରୁ ସମ୍ପୃକ୍ତ କାର୍ଯ୍ୟ ସହ ଜଡ଼ିତ ସମସ୍ତ ଖାତା-ଖତିଆନ, ଆର୍ଥିକ କାଗଜପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। କାମର ଆବଣ୍ଟନ ପ୍ରକ୍ରିୟାଠାରୁ ଆରମ୍ଭ କରି ଟଙ୍କା ଖର୍ଚ୍ଚ ଓ କାର୍ଯ୍ୟ ସମ୍ପାଦନ ପର୍ଯ୍ୟନ୍ତ ବିଭିନ୍ନ ଦିଗ ଯାଞ୍ଚ ଅଧୀନରେ ରହିଛି। ଅଭିଯୋଗ ଅନୁସାରେ, ଏହି କାର୍ଯ୍ୟ ପାଇଁ କୌଣସି ଟେଣ୍ଡର ପ୍ରକ୍ରିୟା ଅନୁସରଣ ନକରି ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଦେଢ଼ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାମ ଦିଆଯାଇଥିଲା। ଏହାକୁ ନେଇ ଆର୍ଥିକ ଓ ପ୍ରଶାସନିକ ଅନିୟମିତତାର ଅଭିଯୋଗ ଉଠିଥିଲା।

ଏହାସହ ସମ୍ପୃକ୍ତ ସଂସ୍ଥାକୁ କାମ କରିବା ପାଇଁ ସିଡିଏମ୍‌ଓଙ୍କ ପକ୍ଷରୁ ଦିଆଯାଇଥିବା ଚିଠିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଚିଠିରେ ବିଭିନ୍ନ ସାମଗ୍ରୀର ପରିମାଣ ଉଲ୍ଲେଖ ନକରି ପରବର୍ତ୍ତୀ ସମୟରେ ସେସବୁ ଲେଖାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହି ସମସ୍ତ ଅଭିଯୋଗ ଉପରେ ବାରମ୍ବାର ପ୍ରଶ୍ନ ଉଠିବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ମାମଲାର ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଯାଜପୁରରେ ପହଞ୍ଚିଛି। ବର୍ତ୍ତମାନ ତଦନ୍ତ ଚାଲିଥିବା ବେଳେ ପ୍ରକୃତରେ କେତେ ଟଙ୍କାର କାମ ହୋଇଥିଲା, କେଉଁ ପ୍ରକ୍ରିୟାରେ କାମ ଆବଣ୍ଟନ କରାଯାଇଥିଲା ଏବଂ ଆର୍ଥିକ କାରବାରରେ କୌଣସି ଅନିୟମିତତା ହୋଇଛି କି ନାହିଁ, ତଦନ୍ତ ଶେଷ ହେବା ପରେ ସେନେଇ ସ୍ପଷ୍ଟତା ମିଳିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial