ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ; ଖରାପ ପାଗ ପାଇଁ ସ୍ଥଗିତ ହେଲା ୩ ଦିନିଆ କାର୍ଯ୍ୟକ୍ରମ

ଅକ୍ଷର ବ୍ୟୁରୋ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଧାରିତ ଓଡ଼ିଶା ଗସ୍ତ ବାତିଲ ହୋଇଛି। ରାଜ୍ୟରେ ଲାଗି ରହିଥିବା ଖରାପ ପାଗ ଓ ଅନୁକୂଳ ନଥିବା ଆବହାଅବସ୍ଥାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଅମିତ ଶାହଙ୍କ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏହି ଗସ୍ତରେ ସେ ଏକାଧିକ ଦଳୀୟ କାର୍ଯ୍ୟକ୍ରମ ସହ ସରକାରୀ ପ୍ରକଳ୍ପରେ ଯୋଗଦେବାର କାର୍ଯ୍ୟସୂଚୀ ରଖିଥିଲେ। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ କହିବା ଅନୁଯାୟୀ, ଅନୁକୂଳ ପାଗ ନଥିବାରୁ ବିମାନ ଯାତ୍ରା ଓ ଅନ୍ୟାନ୍ୟ ଆଧିକାରିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ସୁରକ୍ଷା ଏବଂ ପାଣିପାଗ ପରିସ୍ଥିତିକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ହୋଇଥିବା କୁହାଯାଇଛି।

ଅମିତ ଶାହଙ୍କ ଏହି ଗସ୍ତ ସମୟରେ ରାଜ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରକଳ୍ପର ଉଦ୍‌ଘାଟନ, ବିକାଶମୂଳକ କାର୍ଯ୍ୟକ୍ରମ ଓ ଦଳୀୟ ସାଂଗଠନିକ ବୈଠକ ହେବାର ଯୋଜନା ଥିଲା। ତେବେ ଖରାପ ପାଗ ଯୋଗୁଁ ସବୁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ପାଗ ଅନୁକୂଳ ହେବା ପରେ ଏହି ସମସ୍ତ କାର୍ଯ୍ୟକ୍ରମ ପାଇଁ ନୂଆ ତାରିଖ ଘୋଷଣା କରାଯାଇପାରେ। ଏପଟେ ଅମିତ ଶାହଙ୍କ ଗସ୍ତ ବାତିଲ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ, ତାଙ୍କର ପରବର୍ତ୍ତୀ ଓଡ଼ିଶା ଗସ୍ତ କେବେ ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)