ଓଡ଼ିଶା କ୍ୟାଡରରେ ପୁଣି ଇସ୍ତଫା ଝଟକା: DCP ଜଗମୋହନ ମୀନାଙ୍କ ପରେ ଚାକିରି ଛାଡ଼ିଲେ IPS ପ୍ରୋବେସନର ସି.ଏ. ରାମଦାସ

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫା ଚର୍ଚ୍ଚା ଥମି ନଥିବାବେଳେ ଓଡ଼ିଶା କ୍ୟାଡରରୁ ପୁଣି ଆସିଛି ଆଉ ଏକ ବଡ଼ ଖବର। ୨୦୨୫ ବ୍ୟାଚର ଯୁବ IPS ପ୍ରୋବେସନର ସି.ଏ. ରାମଦାସ ସରକାରୀ ଚାକିରିରୁ ଅବ୍ୟାହତି ଚାହିଁ ଇସ୍ତଫାପତ୍ର ଦାଖଲ କରିଛନ୍ତି। ପ୍ରଶାସନିକ ସେବାରେ ବିଧିବଦ୍ଧ ଭାବେ ଯୋଗଦାନ କରିବା ପୂର୍ବରୁ ଏବଂ ତାଲିମ ଅଧାରୁ ଚାକିରି ଛାଡ଼ିବା ନିଷ୍ପତ୍ତି ଏବେ ପ୍ରଶାସନିକ ମହଲରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।

ଓଡ଼ିଶା ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୩୩ ବର୍ଷୀୟ ସି.ଏ. ରାମଦାସ ବର୍ତ୍ତମାନ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀରେ ପ୍ରଥମ ପର୍ଯ୍ୟାୟ ତାଲିମ ନେଉଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ସରକାରଙ୍କ ନିକଟକୁ ପଠାଇଥିବାବେଳେ ଏହାକୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ୱାଇ.ବି. ଖୁରାନିଆଙ୍କ ନିକଟକୁ ପ୍ରେରଣ କରାଯାଇଛି।

ମହାରାଷ୍ଟ୍ରର ବାସିନ୍ଦା ସି.ଏ. ରାମଦାସ ଗତବର୍ଷ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତା ହାସଲ କରିବା ପରେ ଓଡ଼ିଶା କ୍ୟାଡର ପାଇଥିଲେ। ତେବେ ସେ ଏପର୍ଯ୍ୟନ୍ତ ଓଡ଼ିଶାର କୌଣସି ଜିଲ୍ଲାରେ ପୋଷ୍ଟିଂ ପାଇନାହାନ୍ତି କିମ୍ବା କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ତାଲିମ ଚାଲିଥିବା ସମୟରେ ହଠାତ୍ ଚାକିରି ଛାଡ଼ିବାର କାରଣ ସମ୍ପର୍କରେ କୌଣସି ଆଧିକାରିକ ସୂଚନା କିମ୍ବା ବୟାନ ସାମ୍ନାକୁ ଆସିନାହିଁ।

ଏହାପୂର୍ବରୁ ୨୦୧୩ ବ୍ୟାଚର IPS ଅଧିକାରୀ ତଥା ଭୁବନେଶ୍ୱର DCP ଜଗମୋହନ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫାକୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଅନୁମୋଦନ ମିଳିନାହିଁ। କ୍ରମାଗତ ଭାବେ ଦୁଇଜଣ ଓଡ଼ିଶା କ୍ୟାଡର IPS ଅଧିକାରୀଙ୍କ ଇସ୍ତଫା ପ୍ରଶାସନିକ ମହଲରେ ଚର୍ଚ୍ଚା ବଢ଼ାଇଥିଲେ ମଧ୍ୟ, ଏହି ଦୁଇ ଘଟଣା ମଧ୍ୟରେ କୌଣସି ସମ୍ପର୍କ ଥିବା ନେଇ ଅଧିକାରୀମାନେ କୌଣସି ସଙ୍କେତ ଦେଇନାହାନ୍ତି। ବର୍ତ୍ତମାନ ସି.ଏ. ରାମଦାସଙ୍କ ଇସ୍ତଫାକୁ ନେଇ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)