ଭୁବନେଶ୍ୱର: ମହାନଦୀରେ ପୁଣି ଦେଖାଦେଇଛି ଛୋଟ ବନ୍ୟାର ଆଶଙ୍କା। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବଢ଼ିଥିବା ବେଳେ ଏହାର ପ୍ରଭାବରେ ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ବିଶେଷକରି କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳକୁ ନେଇ ନଜର ରହିଛି।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୨୪ଟି ଗେଟ୍ ଖୋଲା ରହିଛି। ଉପରମୁଣ୍ଡରୁ ଜଳପ୍ରବେଶ ଓ ଜଳସ୍ତରର ସ୍ଥିତିକୁ ଦେଖି ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ଆଉ କିଛି ଗେଟ୍ ଖୋଲାଯାଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ବନ୍ୟା ସ୍ଥିତି ଉପରେ ନଜର ରଖିବା ସହ ଜଳସମ୍ପଦ ବିଭାଗର ଇଞ୍ଜିନିୟରମାନେ ସଜାଗ ରହିଛନ୍ତି। ନଦୀ ଓ ଜଳଭଣ୍ଡାରର ସ୍ଥିତି ଉପରେ ନିୟମିତ ନଜର ରଖାଯାଉଥିବା ବେଳେ ରାତିରେ ମଧ୍ୟ ନାଇଟ୍ ପାଟ୍ରୋଲିଂ ଚାଲିଥିବା ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।
ଅନ୍ୟପଟେ ବୈତରଣୀ ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ଧୀରେଧୀରେ କମୁଥିବା ବେଳେ ଜଳକା ନଦୀର ଜଳସ୍ତର ଏବେ ସ୍ଥିର ରହିଛି। ତେବେ ତଳିଆ ଅଞ୍ଚଳରେ ଆଗାମୀ ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଜାରି ରହିପାରେ। ମହାନଦୀର ଉପରମୁଣ୍ଡରେ ବର୍ଷା ଓ ହୀରାକୁଦରୁ ଜଳ ନିଷ୍କାସନ ଯୋଗୁଁ ତଳମୁଣ୍ଡରେ ଜଳପ୍ରବାହ ବଢ଼ିଲେ କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଆଗାମୀ ୨୪ରୁ ୪୮ ଘଣ୍ଟା ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ଜଳସ୍ତର ଉପରେ ନଜର ରହିବ।














Leave a Reply