ଯାଜପୁର: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶଙ୍କ ଘରୁ ନଗଦ ୫ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ଜଗତପୁରସ୍ଥିତ ଜେନାମଣି ମଣ୍ଡପ ନିକଟରେ ଥିବା ତାଙ୍କ ବାସଭବନରୁ ଏହି ଟଙ୍କା ଜବତ ହୋଇଛି। ୩୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବନ୍ଦିତା ଦାଶ ଓ ତାଙ୍କ ସହଯୋଗୀ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବଡ଼ଚଣା ବ୍ଲକ ଅଞ୍ଚଳରେ ଏକ ସ୍କୁଲ ନିର୍ମାଣ କାମ ସମ୍ପୂର୍ଣ୍ଣ କରିଥିବା ଜଣେ ଠିକାଦାର ତାଙ୍କ ବକେୟା ବିଲ୍ ପାସ୍ କରିବା ଏବଂ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ ପାଇଁ ଆବେଦନ କରିଥିଲେ। ଏହି ଟଙ୍କା ଛାଡ଼ କରିବା ପାଇଁ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ବାରମ୍ବାର ହଇରାଣ ହେବା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା। ଲାଞ୍ଚ ଟଙ୍କା ନେଉଥିବା ସମୟରେ ସହକାରୀ ଯନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କୁ ଧରାଯାଇଥିଲା।
ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନରେ ତଲାସି କରାଯାଇ ୫ ଲକ୍ଷ ୧୫ ହଜାର ଟଙ୍କା ନଗଦ ଜବତ କରାଯାଇଛି। ଜବତ ଟଙ୍କାର ଉତ୍ସ ନେଇ ମଧ୍ୟ ତଦନ୍ତ କରାଯାଉଛି। ଲାଞ୍ଚ ମାମଲାରେ ବନ୍ଦିତା ଦାଶ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଉଭୟଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଭିଜିଲାନ୍ସ ତଲାସି ଓ ତଦନ୍ତ ଶେଷ ହେବା ପରେ ମାମଲାରେ ଆହୁରି ତଥ୍ୟ ସାମ୍ନାକୁ ଆସିବ।














Leave a Reply