ଅକ୍ଷର ବ୍ୟୁରୋ: ପବିତ୍ର ଶିବ ବିବାହ ରୋଷଣୀ ଉତ୍ସବର ଆନନ୍ଦ ଭିତରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡର ବାସିନ୍ଦା ଦୀନବନ୍ଧୁ ସାହୁଙ୍କ ଏକମାତ୍ର ପୁଅ ଧର୍ମେନ୍ଦ୍ର ସାହୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଭୁବନ ସହରରେ ଚାଲିଥିବା ଶିବ ବିବାହ ରୋଷଣୀ ଉତ୍ସବ ଦେଖିବା ପାଇଁ ବ୍ରାହ୍ମଣୀ ଦେବୀ ଛକରେ ଉପସ୍ଥିତ ଥିଲେ ଧର୍ମେନ୍ଦ୍ର ସାହୁ। ସେହି ସମୟରେ ଭିଡ଼ ଭିତରୁ କେହି ଜଣେ ଦୁର୍ବୃତ୍ତ ହଠାତ୍ ବାହାରି ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ଆରମ୍ଭ କରିଥିଲେ।
ଆକସ୍ମିକ ଆକ୍ରମଣରେ ନିଜକୁ ରକ୍ଷା କରିବା ପାଇଁ ଧର୍ମେନ୍ଦ୍ର ମୁଣ୍ଡ ଉପରେ ହାତ ରଖିଥିଲେ। ଫଳରେ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିଲା। ଘଟଣା ପରେ ସ୍ଥାନୀୟ ଲୋକ ଓ ସାହିବାସିନ୍ଦା ତୁରନ୍ତ ତାଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ଆହତ ଯୁବକଙ୍କ ବାପା ଦୀନବନ୍ଧୁ ସାହୁ ଭୁବନ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀଙ୍କ ପରିଚୟ ଓ ଆକ୍ରମଣର କାରଣ ସମ୍ପର୍କରେ ଖୋଜଖବର ଚାଲିଛି।












Leave a Reply