କେନ୍ଦୁଝରରେ ଚାଞ୍ଚଲ୍ୟ: ପୋଖରୀ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ପଥରରେ ଛେଚି ହତ୍ୟା ସନ୍ଦେହ

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ସଦର ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକର ଉପରରାଇଗୋଡ଼ା ପଞ୍ଚାୟତ ଅଧୀନ ଆମୁଣି ଗାଁରେ ଜଣେ ଯୁବକଙ୍କ ମୃତଦେହ ପୋଖରୀ ନିକଟରୁ ଉଦ୍ଧାର ହୋଇଛି। ମୃତକ ହେଲେ ଆମୁଣି ଭରାଳି ସାହିର ଶ୍ରୀକାନ୍ତ ମହାକୁଡ଼ | ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଶ୍ରୀକାନ୍ତ ମହାକୁଡ଼ ଆଜି ସକାଳେ ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ତେବେ କିଛି ସମୟ ପରେ ତାଙ୍କ ମୃତଦେହ ପୋଖରୀ ନିକଟରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ। ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ କିଛି ଦିନ ଧରି ଜମିବାଡ଼ିକୁ ନେଇ ଗାଁର ଜଣେ ଯୁବକଙ୍କ ସହ ଶ୍ରୀକାନ୍ତଙ୍କ ବିବାଦ ଲାଗି ରହିଥିଲା। ଏହି ବିବାଦକୁ କେନ୍ଦ୍ର କରି ସମ୍ପୃକ୍ତ ଯୁବକ ଶ୍ରୀକାନ୍ତଙ୍କୁ ବାରମ୍ବାର ଜୀବନରୁ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ପରିବାର ପକ୍ଷରୁ କୁହାଯାଇଛି। ଏହି କାରଣରୁ ସମ୍ପୃକ୍ତ ଯୁବକ ହିଁ ଶ୍ରୀକାନ୍ତଙ୍କ ହତ୍ୟାରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ହତ୍ୟାକାଣ୍ଡର ସମସ୍ତ ଦିଗକୁ ନେଇ ଛାନଭିନ୍ ଚାଲିଛି। ଏପଟେ ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ସତର୍କ ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial