ଅକ୍ଷର ବ୍ୟୁରୋ: ଲଗାଣ ବର୍ଷାର ପ୍ରଭାବରେ ବଲାଙ୍ଗୀର ଜିଲ୍ଲାର ଲାଠୋର ଅଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅବିରତ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାବେଳେ ଅନେକ ରାସ୍ତା ଜଳମଗ୍ନ ହୋଇଯାଇଛି। ଏହାର ସିଧାସଳଖ ପ୍ରଭାବ ଯାତାୟାତ ଉପରେ ପଡ଼ିଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି।
ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଲାଠୋରର ରାଧାକୃଷ୍ଣ ମନ୍ଦିର ନିକଟସ୍ଥ ପୋଲ। ପୋଲ ଉପରେ ପ୍ରାୟ ଦୁଇ ଫୁଟ୍ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଲାଠୋର–ପାଟଣାଗଡ଼ ମୁଖ୍ୟ ସଡ଼କରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଗାଡ଼ି ଅଟକି ରହିଥିବା ବେଳେ ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ପହଞ୍ଚିବାରେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେହିପରି ଉଦ୍ୟାବନ୍ଦ ରାସ୍ତାରେ ଥିବା ଭୂତଳ ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ରାସ୍ତା ଉପରେ ପ୍ରବଳ ସ୍ରୋତରେ ପାଣି ବହୁଥିବାରୁ ଛୋଟ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତଥାପି କିଛି ସ୍ଥାନୀୟ ଲୋକେ ବିପଦକୁ ଖାତିର ନକରି ପାଣି ଭିତରେ ଯାତାୟାତ କରୁଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ବଢ଼ିଛି।
ଲଗାଣ ବର୍ଷା ଜାରି ରହିଥିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜଳମଗ୍ନ ରାସ୍ତା ଅତିକ୍ରମ ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଓ ଜଳସ୍ତର ଉପରେ ପ୍ରଶାସନ ନଜର ରଖିଥିବାବେଳେ ପାଣି କମିବା ପରେ ଯାତାୟାତ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।
















Leave a Reply