ବାଲିଅନ୍ତା ଜିଆରପି ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା; ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

ଅକ୍ଷର ବ୍ୟୁରୋ: ବାଲିଅନ୍ତା ଜିଆରପି ସୌମ୍ୟ ରଞ୍ଜନ ମର୍ଡର କେସରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଚିନୁ ଓରଫ ରଞ୍ଜିତ ପାତ୍ରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହାକୁ ମିଶାଇ ମୋଟ୍ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ସୌମ୍ୟଙ୍କ ମୁହଁକୁ ଗୋଇଠା ମାରିବା ସହିତ ଶରୀରରେ ଖୁବ୍ ଜୋରରେ ଆଘାତ କରିଥିଲା ରଞ୍ଜିତ୍ । ପୂର୍ବରୁ ୧୧ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ବାନ୍ଧିଛି । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସରିଲିଜ କରି ସୂଚନା ଦିଆଯାଇଛି ।

​​​​​​​ମେ’ ୭ ତାରିଖରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ ବର୍ବରକାଣ୍ଡ ଘଟିଥିଲେ । ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଙ୍କ ବାଇକ୍ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା । ପରେ ଉଭୟ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା । ଅଭିଯୋଗକାରିଣୀ ଝିଅଙ୍କ କହିବା କଥା ସୌମ୍ୟ ରଞ୍ଜନ ତାଙ୍କ ସହିତ ଅସଦାଚରଣ କରିଥିଲେ । ଏମିତି କି ତାଙ୍କ ଡ୍ରେସକୁ ଚିରିଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ପରେ ପୋଲିସ ଉପସ୍ଥିତିରେ ସୌମ୍ୟରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ । ଏଥିରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ପରେ ଏହି ଘଟଣାକୁ ପ୍ରଥମେ କମିଶନରେଟ୍ ପୁଲିସ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ମାମଲାରେ ପୂର୍ବରୁ ୧୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ରକୁ କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial