ଅକ୍ଷର ବ୍ୟୁରୋ: ସାଳନ୍ଦୀ ନଦୀରେ ଆସିଥିବା ଷଷ୍ଠ ବନ୍ୟାରେ ବେହାଲ ହୋଇପଡ଼ିଛି ଭଦ୍ରକ ଜିଲ୍ଲା। ତିହିଡି ବ୍ଲକ୍ର ବାରସର ପଞ୍ଚାୟତ ଅଧୀନ ୪ଟି ଗାଁର ୪୦ରୁ ଅଧିକ ପରିବାର ଗତ ୫ ଦିନ ହେବ ବନ୍ୟାପାଣି ଘେରରେ ରହିଛନ୍ତି। ଗାଁକୁ ଯାତାୟାତ କରୁଥିବା ରାସ୍ତା ଉପରେ ପ୍ରାୟ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ପ୍ରାୟ ଠପ୍ ହୋଇଯାଇଛି।ଜରୁରୀ କାମ ପାଇଁ ମଧ୍ୟ ବାହାରକୁ ଯିବା ସ୍ଥାନୀୟ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଦୀର୍ଘ ସମୟ ଧରି ଜଳବନ୍ଦୀ ଅବସ୍ଥାରେ ରହିଥିବାରୁ ଲୋକଙ୍କ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଖାଦ୍ୟ, ପାନୀୟଜଳ ଏବଂ ଯାତାୟାତକୁ ନେଇ ଅନେକ ସମସ୍ୟା ଦେଖାଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। କେବଳ ଜନବସତି ନୁହେଁ, ବନ୍ୟାର ପ୍ରଭାବ ଚାଷଜମି ଉପରେ ମଧ୍ୟ ପଡ଼ିଛି। ଶହ ଶହ ହେକ୍ଟର ଚାଷଜମିରେ ବନ୍ୟାପାଣି ଜମି ରହିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଦୀର୍ଘ ସମୟ ଧରି ପାଣି ଜମି ରହିଲେ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।
ଏପଟେ ବନ୍ୟାବିପନ୍ନ ପରିବାରଙ୍କ ପାଖରେ ଏଯାଏଁ ଶୁଖିଲା ଖାଦ୍ୟ ପହଞ୍ଚିନଥିବା ଅଭିଯୋଗ ହୋଇଛି। ପାନୀୟଜଳ ସମସ୍ୟା ମଧ୍ୟ ଲାଗି ରହିଛି। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ବିପନ୍ନ ପରିବାରଙ୍କ ନିକଟରେ ତୁରନ୍ତ ଶୁଖିଲା ଖାଦ୍ୟ, ପାନୀୟଜଳ ଏବଂ ଆବଶ୍ୟକ ସହାୟତା ପହଞ୍ଚାଇବାକୁ ଦାବି ଜୋର ଧରିଛି। ଗାଁଗୁଡ଼ିକରେ ଜଳବନ୍ଦୀ ଅବସ୍ଥା ଜାରି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ୍ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବାକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଛନ୍ତି।














Leave a Reply