ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବଡ଼ ବିସ୍ତାର: ଆଉ ୬ ଲକ୍ଷ ହିତାଧିକାରୀ ହେବେ ସାମିଲ

ଅକ୍ଷର ବ୍ୟୁରୋ: ଓଡ଼ିଶାର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଆଉ ୬ ଲକ୍ଷ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ସୂଚନା ଦେଇଛନ୍ତି।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଠାୱଲେ ରାଜ୍ୟରେ ସାମାଜିକ ନ୍ୟାୟ, ସାମାଜିକ ସୁରକ୍ଷା ଓ ଦୁର୍ବଳ ବର୍ଗଙ୍କ କଲ୍ୟାଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାମାଜିକ କଲ୍ୟାଣ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇ ଜନହିତକର ଯୋଜନାଗୁଡ଼ିକର କାର୍ଯ୍ୟାନ୍ବୟନକୁ ଆହୁରି ଶକ୍ତିଶାଳୀ କରାଯିବ।

ମୁଖ୍ୟମନ୍ତ୍ରୀ ଆହୁରି ଜଣାଇଥିଲେ ଯେ, ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ବିସ୍ତାର କରିବା ପାଇଁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅତିରିକ୍ତ ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ। ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ଯୋଗ୍ୟ ପରିବାରଙ୍କୁ ଅଧିକ ୫ କେଜି ଚାଉଳ ଯୋଗାଇବା ଭଳି ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ରାମଦାସ ଅଠାୱଲେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ ଏବଂ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।

ବୈଠକରେ ଅନୁସୂଚିତ ଜାତି (ଏସ୍‌ସି) ଓ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଛାତ୍ରବୃତ୍ତି ଯୋଜନା, ଉଚ୍ଚଶିକ୍ଷାରେ ସୁବିଧା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜନଆକ୍ରୋଶର ଶିକାର ହେଉଥିବା ପୀଡ଼ିତଙ୍କୁ ମିଳୁଥିବା ଆର୍ଥିକ ସହାୟତା ଓ ସାମାଜିକ ନ୍ୟାୟ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ଆନ୍ତଃଜାତି ବିବାହିତ ଦମ୍ପତିଙ୍କୁ କେନ୍ଦ୍ର ସରକାରଙ୍କ ସହଯୋଗରେ ମିଳୁଥିବା ୨.୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ସମ୍ପର୍କରେ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୬ ଲକ୍ଷ ନୂତନ ହିତାଧିକାରୀଙ୍କ ସାମିଲ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଅତିରିକ୍ତ ଖାଦ୍ୟ ସହାୟତା ଘୋଷଣା ରାଜ୍ୟର ଗରିବ, ବୃଦ୍ଧ, ଭିନ୍ନକ୍ଷମ ଓ ଅସହାୟ ବର୍ଗଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିବ ବୋଲି ମନେ କରାଯାଉଛି। କେନ୍ଦ୍ର-ରାଜ୍ୟ ସମନ୍ୱୟରେ ସାମାଜିକ ସୁରକ୍ଷାକୁ ନୂଆ ଦିଗ ଦେବାକୁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial