କଟକ ବାଲିଯାତ୍ରାକୁ ନେଇ ବଡ଼ ଖବର: ନଭେମ୍ବର ୨୪ରୁ ଡିସେମ୍ବର ୧, ମହାନଦୀରେ ହେବ ଜଳକ୍ରୀଡ଼ା

କଟକ: କଟକ ବାଲିଯାତ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌ । ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା । ଏଥର କେବଳ ଉପର ପଡ଼ିଆ ନୁହେଁ, ତଳ ପଡ଼ିଆରେ ମଧ୍ୟ ବାଲିଯାତ୍ରା ଆୟୋଜନ କରାଯିବ । ବାଲିଯାତ୍ରାକୁ ଆସୁଥିବା ଲକ୍ଷାଧିକ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍କିଂ ବ୍ୟବସ୍ଥା ବଢ଼ାଯିବ । ଅଧିକ ଭିଡ଼ ସମୟରେ ଯାନବାହନ ଚଳାଚଳ ଓ ପାର୍କିଂକୁ ସୁବ୍ୟବସ୍ଥିତ କରିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଉଛି ।

ଏଥର ବାଲିଯାତ୍ରା ମଞ୍ଚରେ କେବଳ ଓଡ଼ିଶାର କଳାକାର ନୁହେଁ, ରାଜ୍ୟ ବାହାରୁ ମଧ୍ୟ କଳାକାରମାନେ ଆସି କାର୍ଯ୍ୟକ୍ରମ ପରିବେଷଣ କରିବେ । ଫଳରେ ଦର୍ଶକଙ୍କ ପାଇଁ ଆଠ ଦିନ ଧରି ମନୋରଞ୍ଜନର ଭରପୂର ବ୍ୟବସ୍ଥା ରହିବ । ଚଳିତବର୍ଷ ବାଲିଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେବ ମହାନଦୀରେ ଜଳକ୍ରୀଡ଼ା । ବାଲିଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମହାନଦୀରେ ଜଳକ୍ରୀଡ଼ାର ସୁବିଧା ଉପଲବ୍ଧ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ବାଲିଯାତ୍ରାକୁ ଆହୁରି ଆକର୍ଷଣୀୟ କରିବ ବୋଲି ଆଶା କରାଯାଉଛି । ବାଲିଯାତ୍ରା ସମୟରେ ବଢ଼ୁଥିବା ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା, ଟ୍ରାଫିକ୍‌ ଓ ପାର୍କିଂ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଦର୍ଶକଙ୍କ ଯାତାୟାତକୁ ସୁଗମ କରିବା ଏବଂ ଭିଡ଼ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବ ପ୍ରଶାସନ । ଚଳିତବର୍ଷ ବାଲିଯାତ୍ରାକୁ ଆହୁରି ଆକର୍ଷଣୀୟ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial