ଓଡ଼ିଶା ଅର୍ଥନୀତିକୁ ନୂଆ ଗତି ଦେବ ‘ବିକେପିପିଇଆର’! ୪୦୦ ବିଲିୟନ ଡଲାର ନିବେଶ, ୪୦ ଲକ୍ଷ ନିଯୁକ୍ତି ଲକ୍ଷ୍ୟ

ଭୁବନେଶ୍ୱର: ଓଡ଼ିଶାର ଅର୍ଥନୀତିକୁ ଶୀର୍ଷସ୍ତରକୁ ନେବା ପାଇଁ ଆରମ୍ଭ ହୋଇଛି ବଡ଼ ମାଷ୍ଟରପ୍ଲାନ। ରାଜ୍ୟର ଚାରି ପ୍ରମୁଖ ସହରାଞ୍ଚଳ—ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପକୁ ଏକ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରିବା ଲକ୍ଷ୍ୟରେ ‘ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍’ ବା ବିକେପିପିଇଆର ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ। ଭିଜନ୍-୨୦୩୬ ଓ ଭିଜନ୍-୨୦୪୭ ଲକ୍ଷ୍ୟ ପୂରଣରେ ଏହି ପ୍ରକଳ୍ପ ଓଡ଼ିଶାର ପ୍ରମୁଖ ‘ଗ୍ରୋଥ୍ ଇଞ୍ଜିନ୍’ ହେବ ବୋଲି ଆଶା ରଖାଯାଇଛି। ଓଡ଼ିଶାର ଆର୍ଥିକ ବିକାଶକୁ ନୂଆ ଦିଗ ଦେବା ପାଇଁ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃ-ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏକ ସମନ୍ୱିତ ପ୍ରୟାସରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରାଜ୍ୟକୁ ଅଧିକ ନୂଆ ନିବେଶ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଦେଶର ୪ଟି ପ୍ରମୁଖ ପାଇଲଟ୍ ପ୍ରକଳ୍ପ ମଧ୍ୟରେ ସ୍ଥାନ ପାଇଛି ଏହି ଯୋଜନା। ଏଥିରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ୧୯ଟି ସହରାଞ୍ଚଳକୁ ସାମିଲ କରାଯାଇଛି। ନୀତି ଆୟୋଗର ସହଯୋଗରେ ଏହି ଅଞ୍ଚଳ ପାଇଁ ୧୯ଟି ବିଭାଗର ୨୬୯ଟି ପ୍ରକଳ୍ପ ଚିହ୍ନଟ କରାଯାଇଛି। ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଶାର ବିଭିନ୍ନ ସମ୍ଭାବନାକୁ ଏକ ସୂତ୍ରରେ ବାନ୍ଧି ଏକ ବଡ଼ ଅର୍ଥନୈତିକ ଶକ୍ତିକେନ୍ଦ୍ର ଭାବେ ବିକଶିତ କରିବା। ଏଥିପାଇଁ ଭୁବନେଶ୍ୱରର ଆଇଟି କ୍ଷେତ୍ର, କଟକର ବ୍ୟବସାୟ, ପୁରୀର ପର୍ଯ୍ୟଟନ ଏବଂ ପାରାଦୀପର ବନ୍ଦରଭିତ୍ତିକ ଶିଳ୍ପକୁ ପରସ୍ପର ସହ ଯୋଡ଼ାଯିବ। ବିକେପିପିଇଆରକୁ ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ମଧ୍ୟ ବେଶ୍ ବଡ଼। ଏହି ମେଗା ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୪୦ ଲକ୍ଷରୁ ଅଧିକ ଅଣ-କୃଷି ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରହିଛି। ଏଥିସହ ୪୦୦ ବିଲିୟନ ଡଲାରରୁ ଅଧିକ କର୍ପୋରେଟ୍ ନିବେଶ ଆଣିବାକୁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭିତ୍ତିଭୂମି ବିକାଶ, ନିବେଶ ବୃଦ୍ଧି, ନିଯୁକ୍ତି ସୃଷ୍ଟି ଓ ବିଭିନ୍ନ ଅର୍ଥନୈତିକ କ୍ଷେତ୍ରର ସମନ୍ୱୟ ମାଧ୍ୟମରେ ଏହି ଅଞ୍ଚଳକୁ ଓଡ଼ିଶାର ଆର୍ଥିକ ବିକାଶର ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial