ଅକ୍ଷର ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନ ମଳିକମୁଣ୍ଡା ଗାଁରେ ବିବାହ ପ୍ରସ୍ତାବକୁ କେନ୍ଦ୍ର କରି ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଝିଅର ବିବାହ ପ୍ରସ୍ତାବକୁ ପରିବାର ଲୋକେ ମନା କରିବାରୁ ଉତ୍ତେଜିତ ହୋଇ ଜଣେ ଯୁବକ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ, ତୁରେକେଲା ବ୍ଲକ୍ର ରାମୁଡ଼ ଗାଁର ସୁରେନ୍ଦ୍ର ସାହୁ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ସେଠାରେ ଏକ ଝିଅକୁ ବିବାହ କରିବା ପ୍ରସ୍ତାବ ରଖିଥିଲେ। ତେବେ ପରିବାର ଲୋକେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ଉତ୍ତେଜିତ ହୋଇପଡ଼ିଥିଲେ। ପରେ ଠେଙ୍ଗା ଧରି ଘର ଲୋକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏହି ହିଂସ୍ର ଆକ୍ରମଣରେ ବିନୋଦ ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଆଉ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଘଟଣା ପରେ ଅଭିଯୁକ୍ତ ସୁରେନ୍ଦ୍ର ସାହୁ ଏବଂ ତାଙ୍କ ମା’ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।














Leave a Reply