ରାତିତମାମ ସର୍ଚ୍ଚ ଅପରେସନ ପରେ ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ !

ଅକ୍ଷର ବ୍ୟୁରୋ: ସର୍ଚ୍ଚ ଅପରେସନ ପରେ କଟକ ବିରୂପା ନଦୀରୁ ମିଳିଲା ମୃତଦେହ । ଗତକାଲି ଦୁର୍ଘଟଣା ପରେ ଆଜି ସକାଳେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜ ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଅଞ୍ଚଳର ଅତୁଲ ଓରଫ ଉଦିତ ନାରାୟଣ ସାହୁ(୨୨) । ତାଙ୍କ ସହିତ ଥିବା ଲିଙ୍ଗିପୁର ଅଞ୍ଚଳର ଅଂଶୁମାନ ପଣ୍ଡାଙ୍କୁ ନିମପୁର ବସ୍ତିର ଯୁବକମାନେ ଉଦ୍ଧାର କରି ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ବିଳମ୍ବିତ ରାତିରେ କାର୍‌ଟିକୁ ନଈ ଭିତରୁ ଉଦ୍ଧାର କରାଯାଇଥିବା ବେଳେ କାର୍‌ ଭିତରେ ଉଦିତ ନଥିବା ଜଣାପଡ଼ିଥିଲା । ଆଜି ସକାଳୁ ପୁଣି ବିରୂପାରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ସହ ସ୍କୁବା ଡାଇଭର୍‌ ସାମିଲ ଥିଲେ । ତେବେ ଜଗତପୁରର ପଣ୍ତାସାହି ନିକଟରେ ଘଟିଥିଲା ଏହି ଅଘଟଣ ।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ୫ଜଣ ସାଙ୍ଗ କାର୍‌ ଯୋଗେ ଗତକାଲି କଟକ ଆସିଥିଲେ । ଚାଉଳିଆଗଞ୍ଜରେ ଏକ ରେଷ୍ଟୁରାଣ୍ଟ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ । କୌଣସି କାରଣରୁ ସେମାନେ ଚାଉଳିଆଗଞ୍ଜରୁ ଜଗତପୁର ବିରୂପା ନଦୀକୂଳରେ ପହଞ୍ଚିଥିଲେ । ସେଠାରେ ୩ଜଣ ସାଙ୍ଗ ପ୍ରଥମେ ଓହ୍ଲାଇ ପଡ଼ିଥିବା ବେଳେ ଅତୁଲ ଓ ଅଂଶୁମାନ ପୁଣି କାର୍‌ ଯୋଗେ ଆଇ.ବି. ରୋଡ୍ ନାରାୟଣବିହାରରେ ଥିବା ଏକ ଦୋକାନକୁ ଯାଇ କିଣାକିଣି କରିଥିଲେ । ଅତୁଲ ଓ ଅଂଶୁମାନ ପୁଣି ଉକ୍ତ ନଦୀତୁଠକୁ ଆସିବା ବେଳେ ନିୟନ୍ତ୍ରଣ ହରାଇ କାର୍‌ଟି ନଦୀ ମଧ୍ୟକୁ ପଶିଯାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ବସ୍ତିର କେତେକ ସାହସୀ ଯୁବକ ଅଂଶୁମାନଙ୍କୁ ନଦୀପାଣିରୁ ଉଦ୍ଧାର କରିଥିଲେ କିନ୍ତୁ କାର୍‌ ଭିତରେ ଉଦିତ ରହିଯାଇଥିବା ଆଶଙ୍କା କରାଯାଉଥିଲା । ତେବେ କାର୍‌ ଭିତରୁ ଉଦିତ ନ ମିଳିବାରୁ ରାତିତମାମ ସର୍ଚ୍ଚ ଅପରେସନ ଚାଲିଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial