ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ବୌଦ୍ଧ ଜିଲ୍ଲାରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଅବିରତ ବର୍ଷା ଯୋଗୁଁ ସାଲୁଙ୍କି ନଦୀର ଜଳସ୍ତର ବଢ଼ିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ଗ୍ରାମ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ବେଳେ ଅନେକ ଅଞ୍ଚଳରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବର୍ଷାର ପ୍ରକୋପ କିଛିଟା କମିବା ପରେ ଜିଲ୍ଲା ପ୍ରଶାସନ କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକ ପରେ ଜିଲ୍ଲାର ସମସ୍ତ ତହସିଲଦାର ଓ ବିଡିଓଙ୍କୁ ନିଜ ନିଜ ଅଞ୍ଚଳରେ କ୍ଷତିଗ୍ରସ୍ତ ସ୍ଥାନ ପରିଦର୍ଶନ କରି କ୍ଷୟକ୍ଷତିର ସଠିକ୍ ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବର୍ତ୍ତମାନ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ କ୍ଷୟକ୍ଷତିର ସର୍ଭେ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଚାଷ ଜମି, ରାସ୍ତାଘାଟ, ଘରବାଡ଼ି ଓ ଅନ୍ୟାନ୍ୟ ସରକାରୀ ସମ୍ପତ୍ତିର କ୍ଷତିର ତଥ୍ୟ ସଂଗ୍ରହ କରାଯାଉଛି। ସ୍ଥିତିର ସମୀକ୍ଷା ପାଇଁ ଜିଲ୍ଲାପାଳ କଣ୍ଟାମାଳ ବ୍ଲକର ମନମୁଣ୍ଡା ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ଶୁଣିବା ସହ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, କ୍ଷୟକ୍ଷତିର ଆକଳନ ଶେଷ ହେବା ପରେ ସରକାରଙ୍କ ନିୟମାନୁସାରେ କ୍ଷତିଗ୍ରସ୍ତ ପରିବାର ଓ ଚାଷୀମାନଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ। ସେପଟେ ବର୍ଷା ପରବର୍ତ୍ତୀ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ବନ୍ୟାପ୍ରଭାବିତ ଅଞ୍ଚଳ ଉପରେ ନିରନ୍ତର ନଜର ରଖାଯାଉଛି।
















Leave a Reply