ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁକୁ ନେଇ ବନ ବିଭାଗର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ଉଦ୍ୟାନର ବିଭିନ୍ନ ନଦୀ, ନାଳ ଓ ଜଙ୍ଗଲ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ବସା ଚିହ୍ନଟ କରିବା ସହ ସେଗୁଡ଼ିକର ସୁରକ୍ଷା ପାଇଁ ବନ କର୍ମଚାରୀମାନେ ବ୍ୟାପକ ପଦକ୍ଷେପ ନେଉଛନ୍ତି। ଭିତରକନିକା ଏସିଏଫ୍ ମାନସ କୁମାର ଦାସଙ୍କ ନେତୃତ୍ୱରେ ଏହି ସ୍ୱତନ୍ତ୍ର ଅଭିଯାନ ଚାଲିଛି।
ବନ ବିଭାଗ ପକ୍ଷରୁ ଜୁଆର ପାଣି ମାଡ଼ିଯାଇ କ୍ଷତିଗ୍ରସ୍ତ ହୋଇଥିବା କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଉଛି। ପରେ ସେହି ଅଣ୍ଡାକୁ ଡାଙ୍ଗମାଳସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ନେଇ କୃତ୍ରିମ ଉପାୟରେ ଛୁଆ ଫୁଟାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ବିରଳ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ଓ ପ୍ରଜାତିର ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଉଛି।
ପ୍ରତିବର୍ଷ ମଇ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଚାଲିଥାଏ। ଏହି ସମୟରେ ମାଆ କୁମ୍ଭୀର ଅଣ୍ଡା ଦେବା ପାଇଁ ନଦୀ ଓ ନାଳଠାରୁ ଉଚ୍ଚ ଏବଂ ନିରାପଦ ସ୍ଥାନ ବାଛିଥାଏ। ଖରଖରି ପତ୍ର ଓ କାଠିକୁଟା ସଂଗ୍ରହ କରି ପ୍ରାୟ ଦୁଇ ଫୁଟ ଉଚ୍ଚର ବସା ପ୍ରସ୍ତୁତ କରିଥାଏ। ସେହି ବସାରେ ଅଣ୍ଡା ଦେବା ପରେ ପୁଣି ଖରଖରି ପତ୍ର ଓ କାଠିକୁଟାରେ ତାହାକୁ ଘୋଡ଼ାଇ ସୁରକ୍ଷିତ ରଖିଥାଏ।
ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ପ୍ରତ୍ୟେକ ବଉଳା କୁମ୍ଭୀର ଗୋଟିଏ ପ୍ରଜନନ ଋତୁରେ ପ୍ରାୟ ୪୦ରୁ ୬୦ଟି ଅଣ୍ଡା ଦେଇଥାଏ। ତେବେ ପ୍ରାକୃତିକ ବିପର୍ଯ୍ୟୟ, ଜୁଆର ପାଣି ଓ ଅନ୍ୟାନ୍ୟ କାରଣରୁ ଅଣ୍ଡା ନଷ୍ଟ ହେବାର ଆଶଙ୍କା ରହୁଥିବାରୁ ବନ ବିଭାଗ ପକ୍ଷରୁ ସେଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷଣ କରି କୃତ୍ରିମ ପ୍ରଜନନ ମାଧ୍ୟମରେ ଛୁଆ ଫୁଟାଇବାର ବ୍ୟବସ୍ଥା କରାଯାଉଛି। ଏହି ଉଦ୍ୟମ ଭିତରକନିକାର ବିରଳ ବଉଳା କୁମ୍ଭୀର ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବନ ବିଭାଗ କହିଛି।











Leave a Reply