ଓଭରଟେକ୍ ବେଳେ ଭାରସାମ୍ୟ ହରାଇଲା ବସ୍, ବ୍ୟାରିକେଡ୍‌ ଉପରେ ଚଢ଼ିଗଲା

ଭୁବନେଶ୍ୱର: ଦ୍ରୁତ ଗତିରେ ଗାଡ଼ି ଚଳାଇବା ଓ ଓଭରଟେକ୍‌ କରିବା ଚକ୍କରରେ ଘଟିଲା ଦୁର୍ଘଟଣା। କଟକ-ଭୁବନେଶ୍ୱର ରାସ୍ତାର ଭାଣପୁର ନିକଟରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ ବସ୍‌ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଚାଲିଯାଇ ବ୍ୟାରିକେଡ୍‌ ଉପରେ ଚଢ଼ିଯାଇଛି। ଫଳରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଟ୍ରାଫିକ୍ ବ୍ୟବସ୍ଥା ବିଗିଡ଼ିଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ସିଂହପୁରରୁ ଭୁବନେଶ୍ୱର ଯାଉଥିବା ‘ଖଣ୍ଡେଇ’ ବସ୍‌ ଭାଣପୁର ନିକଟରେ ହଠାତ୍ ଭାରସାମ୍ୟ ହରାଇଥିଲା। ବସ୍‌ଟି ରାସ୍ତାର ଅନ୍ୟ ପାର୍ଶ୍ୱକୁ ଚାଲିଯାଇ ବ୍ୟାରିକେଡ୍‌ ଉପରେ ଚଢ଼ିଯାଇଥିଲା। ଦ୍ରୁତ ଗତି ଓ ଓଭରଟେକ୍‌ କାରଣରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ କୁହାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।

ଦୁର୍ଘଟଣା ପରେ ବସ୍‌ଟି ଜାତୀୟ ରାଜପଥ ଉପରେ ରହିଯିବାରୁ ଯାତାୟାତ ପ୍ରଭାବିତ ହୋଇଥିଲା। ବିଶେଷକରି ଭୁବନେଶ୍ୱରରୁ କଟକ ଯାଉଥିବା ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଧରି ଅଟକି ରହିଥିଲା। ରାସ୍ତାରେ ଯାନବାହନ ଧାଡ଼ି ଲାଗିଯିବାରୁ ଯାତ୍ରୀମାନେ ହଇରାଣ ହୋଇଥିଲେ। ଘଟଣାସ୍ଥଳରେ ବସ୍‌କୁ ହଟାଇବା ଏବଂ ଯାତାୟାତ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial