ଛାତ୍ର ସଂସଦ ନିର୍ବାଚନ ନେଇ ବଢ଼ିଲା ଚର୍ଚ୍ଚା, ଆଜି ଆସିପାରେ ବିଜ୍ଞପ୍ତି

ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ପରେ ପୁଣି କ୍ୟାମ୍ପସ୍‌ରେ ଶୁଭିପାରେ ଛାତ୍ର ନିର୍ବାଚନର ବିଗୁଲ। ଛାତ୍ର ସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଆସନ୍ତା ୭ ତାରିଖରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏପଟେ ବିଭିନ୍ନ ଛାତ୍ର ସଙ୍ଗଠନ ମଧ୍ୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ସ୍ୱଳ୍ପ ସମୟ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ସାରିବାକୁ ସରକାର ଏକପ୍ରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରାୟ ୧୦ ଦିନ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରାଗଲେ ଶୈକ୍ଷିକ ବାତାବରଣ ଅଧିକ ପ୍ରଭାବିତ ହେବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ବିଚାର କରୁଥିବା ସୂଚନା ମିଳିଛି। ତେଣୁ ଆଜି ନିର୍ବାଚନ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ଆସିବା ନେଇ ଆଶା ବଢ଼ିଛି। ସମ୍ଭାବ୍ୟ କାର୍ଯ୍ୟସୂଚୀ ଅନୁସାରେ, ଆସନ୍ତା ୭ ତାରିଖରେ ନାମାଙ୍କନ ହୋଇପାରେ। ଏହାପରେ ୧୫ ତାରିଖରେ ଭୋଟ୍‌ଗ୍ରହଣ କରାଯିବା ସହ ସେହିଦିନ କ୍ୟାମ୍ପସ୍‌ରେ ଭୋଟ୍‌ ଗଣତି କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇପାରେ। ଏହାର ପରଦିନ ଅର୍ଥାତ୍ ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାର ସମ୍ଭାବନା ରହିଛି।

ତେବେ ସ୍ୱଳ୍ପ ସମୟ ମଧ୍ୟରେ ନିର୍ବାଚନ କରାଯିବାକୁ ନେଇ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟରେ ମତଭେଦ ଦେଖାଦେଇଛି। କିଛି ଛାତ୍ର ସଙ୍ଗଠନ କମ୍ ସମୟ ମଧ୍ୟରେ ନିର୍ବାଚନ କରାଯିବାକୁ ବିରୋଧ କରୁଥିବାବେଳେ, ଆଉ କିଛି ସଙ୍ଗଠନ ଦୁର୍ଗାପୂଜା ଛୁଟି ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ଦାବି କରୁଛନ୍ତି। ଛାତ୍ର ଅଶାନ୍ତି ଓ ବିଭିନ୍ନ କାରଣରୁ ଦୀର୍ଘ ୮ ବର୍ଷ ହେଲା ରାଜ୍ୟର କ୍ୟାମ୍ପସ୍‌ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଏବେ ପୁଣି ନିର୍ବାଚନ ହେବା ନେଇ ଆଶା ଉଜ୍ଜ୍ୱଳ ହୋଇଥିବାରୁ ଛାତ୍ର ରାଜନୀତି ମହଲରେ ଉତ୍ସାହ ବଢ଼ିଛି। ତେବେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଓ ନିର୍ବାଚନ ତାରିଖ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial