ଘରେ ଥିଲା କାର୍, କଟିଗଲା ଟ୍ରକ୍‌ର ଇ-ଚାଲାଣ! ପରିବହନ ବିଭାଗର ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ

ଅକ୍ଷର ବ୍ୟୁରୋ: ପରିବହନ ବିଭାଗର ଇ-ଚାଲାଣ ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଭୁବନେଶ୍ୱରର ସୁନ୍ଦରପଦାର ଜଣେ ଡିଜାୟର କାର୍ ମାଲିକଙ୍କ ପାଖକୁ ଏମିତି ଏକ ଇ-ଚାଲାଣ ପହଞ୍ଚିଛି, ଯାହା ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଉକ୍ତ ସମୟରେ କାର୍‌ଟି ଭୁବନେଶ୍ୱରର ସୁନ୍ଦରପଦାସ୍ଥିତ ଘର ପାଖରେ ରହିଥିଲା। କିନ୍ତୁ ମୋବାଇଲକୁ ଆସିଥିବା ଇ-ଚାଲାଣରେ ଦର୍ଶାଯାଇଛି ଯେ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଅଞ୍ଚଳରେ ଘଟିଛି। ଘଟଣାର ସବୁଠାରୁ ଚମକପ୍ରଦ ଦିଗ ହେଉଛି, ଚାଲାଣ ସ୍ଲିପ୍‌ରେ ଡିଜାୟର କାର୍ ବଦଳରେ ଏକ ଭାରୀ ଟ୍ରକ୍‌ର ଛବି ରହିଛି। ଅର୍ଥାତ୍ କାର୍ ମାଲିକଙ୍କ ନାମରେ ଟ୍ରକ୍‌ର ଇ-ଚାଲାଣ କଟିଛି।

ଏହି ଘଟଣା ପରେ ଗାଡ଼ି ମାଲିକଙ୍କ ଚିନ୍ତା ବଢ଼ିଯାଇଥିବାବେଳେ ପରିବହନ ବିଭାଗର ଇ-ଚାଲାଣ ବ୍ୟବସ୍ଥାର ସଠିକତାକୁ ନେଇ ପ୍ରଶ୍ନ ଉଠିଛି। ଗାଡ଼ି ନମ୍ବର ସ୍କାନିଂରେ ତ୍ରୁଟି ହୋଇଛି କି, ନା ଡାଟା ଏଣ୍ଟ୍ରିରେ ଗଡ଼ବଡ଼ ହୋଇଛି, ତାହାକୁ ନେଇ ଆଲୋଚନା ଜୋର ଧରିଛି। ଏହି ଘଟଣା ଇ-ଚାଲାଣ ବ୍ୟବସ୍ଥାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)