ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜିଲ୍ଲାସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି, ବୃହତ୍ ପ୍ରକଳ୍ପଗୁଡ଼ିକର ଅଗ୍ରଗତି କେତେଦୂର ହୋଇଛି ଏବଂ ଜମି ଅଧିଗ୍ରହଣ, ଅନୁମୋଦନ ଓ କାର୍ଯ୍ୟାନ୍ୱୟନରେ କେଉଁ ସମସ୍ୟା ରହିଛି—ସେନେଇ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ନେଇଛନ୍ତି ମୁଖ୍ୟ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାଭିତ୍ତିକ ଭାବେ ବିଭିନ୍ନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ସ୍ଥିତି ସମୀକ୍ଷା କରାଯାଇଛି। ବୈଠକରେ ଗୃହ ଓ ନଗର ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଏମ୍ଏସ୍ଏମ୍ଇ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବିଶେଷକରି ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ସମେତ ବିଭିନ୍ନ ପ୍ରକଳ୍ପରେ ଜମି ସମ୍ବନ୍ଧୀୟ ସମସ୍ୟା ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଖୋର୍ଦ୍ଧା, ସମ୍ବଲପୁର ଓ କଟକ ଜିଲ୍ଲାର ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଜମି ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନେ ତ୍ୱରିତ ପଦକ୍ଷେପ ନେବା ଉପରେ ଜୋର୍ ଦିଆଯାଇଥିଲା। ସେହିପରି ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ୍ ପାଇଁ ଜମିର ସୁବ୍ୟବସ୍ଥା, ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଏବଂ ମକ୍ ଡ୍ରିଲ୍ ନେଇ ମଧ୍ୟ ଆଲୋଚନା ହୋଇଥିଲା।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ପୋଷଣ ମାସ-୨୦୨୬’, ‘ସୁପୋଷିତ ଓଡ଼ିଶା’ ମିସନ୍ ଏବଂ ଡିଜିଟାଲ୍ ନିରୀକ୍ଷଣ ଫର୍ମ ଭଳି ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ସମୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାୟୋମେଡିକାଲ୍ ବର୍ଜ୍ୟ ପରିଚାଳନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜମି, ଆୟୁଷ ମେଡିକାଲ୍ କଲେଜ୍, ‘ଆମ ହସ୍ପିଟାଲ୍’ କାର୍ଯ୍ୟ ଏବଂ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଜିଲ୍ଲାଭିତ୍ତିକ ଅଗ୍ରଗତି ନେଇ ଆଲୋଚନା ହୋଇଥିଲା।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ର ସ୍ଥିତି ସମୀକ୍ଷା କରାଯାଇଥିବା ବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏଗ୍ରିଷ୍ଟାକ୍ ଅଧୀନରେ କୃଷକ ପଞ୍ଜୀକରଣ ଏବଂ ଖରିଫ୍-୨୦୨୬ ଡିଜିଟାଲ୍ କ୍ରପ୍ ସର୍ଭେର ଅଗ୍ରଗତି ସମ୍ପର୍କରେ ତଥ୍ୟ ନିଆଯାଇଥିଲା। ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ, ଏମ୍ଏସ୍ଏମ୍ଇ ପାର୍କ, ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ କ୍ରେଡିଟ୍ ସୁବିଧାର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା। ରାଜ୍ୟର ୩୦ଟି ଜିଲ୍ଲାରେ ୩୦ଟି ଏମ୍ଏସ୍ଏମ୍ଇ ପାର୍କ ବିକଶିତ କରିବାର ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକରେ ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଜିଲ୍ଲାରେ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି ଜମି ଅଧିଗ୍ରହଣ, ପ୍ରକଳ୍ପ ଅନୁମୋଦନ, ନିର୍ମାଣ ଓ କାର୍ଯ୍ୟାନ୍ୱୟନ ସମ୍ପର୍କିତ ସମସ୍ୟାଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ସହ ନିୟମିତ ସମୀକ୍ଷା କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।














Leave a Reply