କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ବୁଢ଼ାବଳଙ୍ଗ, ବୈତରଣୀ ସମେତ ପ୍ରମୁଖ ନଦୀ ବିପଦ ସଙ୍କେତ ତଳେ । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ଅଛି, କିନ୍ତୁ କମୁଛି ପାଣିି । ଆଗାମୀ ୭ ଦିନ ଯାଏଁ ବର୍ଷା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିବ । ହୀରାକୁଦ ଜଳସ୍ତର ୯ଟା ସୁଦ୍ଧା ୬୨୬.୩୫ ଫୁଟ୍ ଅଛି । ୪ଟି ଗେଟ୍ ବନ୍ଦ କରାଯାଇଛି, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ୩ ଲକ୍ଷ ୮୫ ହଜାର କ୍ୟୁସେକ ପ୍ରବେଶ, ୪ ଲକ୍ଷ ୨୪ ହଜାର କ୍ୟୁସେକ ନିଷ୍କାସିତ । କାଲି ମୁଣ୍ଡଳୀରେ ସଂଧ୍ୟା ୬ଟାରେ ୫ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ । ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍ ଖୋଲାଯାଇଥିଲା । ଏଥିସହିତ ମୋଟ ଖୋଲା ଯାଇଥିବା ଗେଟ୍ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।
ଗତ ୩ ଦିନ ଧରି ଉପର ମୁଣ୍ଡରେ ବର୍ଷା ଫଳରେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଥିଲା । ଶୁକ୍ରବାର ସକାଳ ୮ଟା ବେଳକୁ ହୀରାକୁଦକୁ ହାରାହାରି ୨ ଲକ୍ଷ ୯୩ ହଜାର ୫୧୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା । ତେଣୁ ଜଳସ୍ତର ବଜାୟ ରଖିବାକୁ ସକାଳ ୯ଟାରେ ୪ଟି ଓ ଦିନ ୨ଟାରେ ଆଉ ୪ଟି ଗେଟ୍ ଖୋଲା ଯାଇଥିଲା । ଫଳରେ ହୀରାକୁଦ ବାମପାର୍ଶ୍ବର ୧୬ ଓ ଡାହାଣ ପାର୍ଶ୍ୱର ୮ଟିକୁ ମିଶାଇ ମୋଟ ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସିତ ହେଉଛି ।
ସେହି ସମୟରେ ମହାନଦୀ ତଳମୁଣ୍ଡ ବେଲଗାଁରେ ୧୪ ହଜାର କ୍ୟୁସେକ୍, ପର୍ଥଲାରେ ୩୭ ହଜାର କ୍ୟୁସେକ୍, ଖଇରମାଳରେ ୪ ଲକ୍ଷ ୧୮ ହଜାର କ୍ୟୁସେକ୍, ବରମୂଳରେ ୩ ଲକ୍ଷ ୧୧ ହଜାର କ୍ୟୁସେକ୍ ଓ ମୁଣ୍ଡଳିରେ ୧ ଲକ୍ଷ ୯୬ ହଜାର ୦୨୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ଓ ତଳମୁଣ୍ଡରେ ବର୍ଷା ହ୍ରାସ ପାଇଛି । ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ୮ଟା ମଧ୍ୟରେ ଉପର ମୁଣ୍ଡରେ ୧୧.୧୮ ମିମି ଏବଂ ତଳମୁଣ୍ଡରେ ୬.୮୦ ମିମି ବର୍ଷା ରେକର୍ଡ କରାଯାଇଛି । ୨୪ଟି ଗେଟ୍ ଖୋଲାଯିବାରୁ ସମ୍ବଲପୁର ସହର ଉପକଣ୍ଠ ମାଳତି ନଦୀରେ ମହାନଦୀର ପଛୁଆପାଣି ପଶି ମାଳତି ଗୁଣ୍ଡେରପୁର ପୋଲ ଉପରେ ୨ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ସମ୍ବଲପୁର-ସୁବର୍ଣ୍ଣପୁରମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସମ୍ବଲପୁରରୁ ଧମା, ଉଲୁଣ୍ଡା, ସୁବର୍ଣ୍ଣପୁର ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକୁ ମାନେଶ୍ବର ପଟୁ ଯିବାକୁ ପଡ଼ୁଛି ।












Leave a Reply