ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଯାଇଥିଲେ, ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଯାଇଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁକୁ ନେଇ ଖୋର୍ଦ୍ଧା ନରଣଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ର ହେଲେ ବାଲିପାଟଣା ବାରିଲୋ ଗାଁର ଅର୍ଣ୍ଣବ ସାହୁ। ସେ ବାଲିପାଟଣା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଅର୍ଣ୍ଣବ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଖୋର୍ଦ୍ଧା ନରଣଗଡ଼ ଯାଇଥିଲେ। ସେଠାରେ ସକାଳୁ ଗାଧୋଇବା ବେଳେ ସେ ପୋଖରୀରେ ବୁଡ଼ିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଅର୍ଣ୍ଣବଙ୍କୁ ମୃତ ଘୋଷଣା କରିଥିଲେ।

ଅର୍ଣ୍ଣବ ଜଣେ ମେଧାବୀ ଛାତ୍ର ଥିବା ସହ କ୍ରୀଡ଼ା ପ୍ରତି ମଧ୍ୟ ତାଙ୍କର ଆଗ୍ରହ ଥିଲା। ଦୌଡ଼ ପ୍ରତିଯୋଗିତାରେ ବ୍ଲକ୍‌ସ୍ତରରେ କୃତିତ୍ୱ ହାସଲ କରିବା ପରେ ସେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ତେବେ ଜିଲ୍ଲା ପ୍ରତିଯୋଗିତାକୁ ଯାଇଥିବା ବେଳେ ଏଭଳି ଅଘଟଣ ତାଙ୍କ ପରିବାର ଓ ସହପାଠୀଙ୍କୁ ମର୍ମାହତ କରିଛି। ପୁଅର ଅକାଳ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଘଟଣାକୁ ନେଇ ପରିବାର ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରାଯାଇଛି। କ୍ରୀଡ଼ା ପ୍ରତିଯୋଗିତାକୁ ଆସିଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ପରିବାର ପ୍ରଶ୍ନ ଉଠାଇଛନ୍ତି। ଅର୍ଣ୍ଣବଙ୍କ ମୃତ୍ୟୁ ଖବର ପ୍ରଚାର ପରେ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ସମ୍ପୃକ୍ତ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ଏବଂ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହା ନେଇ ଆଗକୁ ସ୍ପଷ୍ଟତା ମିଳିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial