ପୁରୀରେ ୬ଲକ୍ଷ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଏବଂ ୨ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ।

ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନୂଆ ରାସନ କାର୍ଡ ପ୍ରଦାନ କରାଯାଇଛି। ଏହି ସମାରୋହରେ ୬ଲକ୍ଷ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। ତା ସହ ୨ଲକ୍ଷରୁ ଅଧିକ ନୂତନ ସୁଭଦ୍ରା ହିତାଧିକାରୀଙ୍କୁ ୯୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାତ୍ମା ଗାନ୍ଧୀ କହୁଥିଲେ’ଭାରତ ଗ୍ରାମରେ ବାସ କରେ’। ଏଥିରେ କୌଣସି ଦ୍ଵିମତ ନାହିଁ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଛି। ଭଲ କାମ ପାଇଁ ଅସ୍ତରଙ୍ଗ ବ୍ଲକର ଏକ ପଞ୍ଚାୟତକୁ ପୁରସ୍କୃତ କରାଯାଇଛି। ପ୍ରତି ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ ଓ ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ପଡ଼ିଛି। ପ୍ରତି ବ୍ଲକ୍ ରେ ପ୍ରାୟ ୧୦ ଏକର ଜମିରେ ଷ୍ଟାଡିୟମ ନିର୍ମାଣ ନିମନ୍ତେ ସରକାର ଲକ୍ଷ୍ୟ ରଖି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପଞ୍ଚାୟତ ସମିତିର ସାଧାରଣ ବୈଠକକୁ ଅନଲାଇନ୍ ମାଧ୍ୟମରେ ପରିଚାଳନା କରିବା ନିମନ୍ତେ ଇ-ପଞ୍ଚାୟତ ସଭା (ପଞ୍ଚାୟତ ସମିତି) ପୋର୍ଟାଲର ଉନ୍ମୋଚନ ହୋଇଛି। ସେହିଭଳି ପି.ପି.ଏମ୍ଏସ୍ ପୋର୍ଟାଲର ମଧ୍ୟ ଲୋକାପର୍ଣ ହୋଇଛି। ଗ୍ରାମପଞ୍ଚାୟତ ଭିତ୍ତିଭୂମିର ଦୃଶ୍ୟକରଣ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ତଥ୍ୟକୁ ପ୍ରାପ୍ତ କରିବା ପାଇଁ ପଞ୍ଚାୟତ ମନିଟରିଂ ସିଷ୍ଟମର ଶୁଭାରମ୍ଭ କରାଯାଇଛି।

ସେହିଭଳି ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅନୁଦାନରେ ୬୧୩ଟି ଗ୍ରାମ ପଞ୍ଚାୟତକୁ କାର୍ଯ୍ୟଦକ୍ଷତାରେ ଶ୍ରେଷ୍ଠତା ପ୍ରତିପାଦନ, ନିଜସ୍ଵ ଆୟ ବୃଦ୍ଧି ତଥା ପଞ୍ଚାୟତ ସର୍ବାଙ୍ଗୀନ ବିକାଶରେ ନିରନ୍ତର ପ୍ରୟାସ ନିମନ୍ତେ ୩୨ କୋଟି ଟଙ୍କା ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୩ କିଲୋୱାଟ୍ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ପାଇଁ ୧, ୩୮,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଇଛି। ୪୧୨୪ କୋଟି ଟଙ୍କା ମୂଲ୍ୟର ୩୧୪ଟି ବ୍ଲକସ୍ତରୀୟ ଷ୍ଟାଡ଼ିୟମ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପଞ୍ଚାୟତିରାଜ ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ଜିଲ୍ଲାର ସମସ୍ତ ବିଧାନସଭାର ବିଧାୟକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)