ଆଜିଠୁ ଦୁଇଦିନିଆ ଗସ୍ତରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆଜିଠୁ ଦୁଇଦିନିଆ ଗସ୍ତରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୫ ଓ ୬ ତାରିଖରେ (ସୋମବାର ଓ ମଙ୍ଗଳବାର) ଗସ୍ତ କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନ ଧରଣୀଧର ନାଏକଙ୍କ ଜୟନ୍ତୀ ଅବସରରେ କୁସୁମିତାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିପ୍ଳବୀ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। କୁସୁମିତା ଗ୍ରାମରେ ଏକ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ଏହାପରେ ଧରଣୀଧର ଭୂୟାଁଙ୍କ ଏନ୍ତୁଡିଶାଳ କୁସୁମିତାକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ଭୂୟାଁ ସାଂସ୍କୃତିକ ସଙ୍ଗଠନ ଉତ୍ସାହିତ ହୋଇଉଠିଛି।

ସୂଚନାଯୋଗ୍ୟ, ବିପ୍ଳବୀ ଧରଣୀଧର କେନ୍ଦୁଝର ଜିଲ୍ଲାର ଗର୍ବ ଓ ଗୌରବ ଓ ସ୍ୱାଭିମାନର ପ୍ରତୀକ। ତତ୍କାଳୀନ ବ୍ରିଟିଶ ସମର୍ଥିତ ରାଜତନ୍ତ୍ରର ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ଧରଣୀଧରଙ୍କ ଭଳି ଆଦିବାସୀ ଯୁବକଙ୍କର ବିପ୍ଳବ ଇତିହାସରେ ଏକ ଉଲ୍ଲେଖନୀୟ ଅଧ୍ୟାୟ ଯୋଡ଼ିଛି। ତେବେ ନୂଆ ସରକାର ବିପ୍ଳବୀ ମାଟି ଧରଣୀଧରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଧରଣୀଙ୍କ ବିପ୍ଳବ ସମ୍ପର୍କରେ ରାଜ୍ୟ ଓ ରାଜ୍ୟ ବାହାରର ଲୋକେ ଅନେକ ବିଷୟ ଜାଣିନାହାନ୍ତି। ତେଣୁ କୁସୁମିତା ଗ୍ରାମରେ ଏକ ସ୍ମୃତି ସଂଗ୍ରାହଳୟ, ପାଠାଗାର, ଖେଳ ପଡ଼ିଆ ସହିତ ବିପ୍ଳବୀଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଶିଶୁ ଉଦ୍ୟାନ କରାଯାଇଛି। ବିପ୍ଳବୀ ଧରଣୀଧର ବ୍ୟବହାର କରୁଥିବା କୂଅକୁ ମଧ୍ୟ ପୁନରୁଦ୍ଧାର ଏବଂ ସଂରକ୍ଷିତ କରାଯିବ। ପାଠାଗାରରେ ବିପ୍ଳବୀଙ୍କ ସମ୍ପର୍କରେ ଜନସାଧାରଣ ଜାଣିବା ପାଇଁ ସମସ୍ତ ପୁସ୍ତକ ବ୍ୟବସ୍ଥା ରହିବ। ଏହାସହିତ ବିପ୍ଳବୀ ଧରଣୀଧରଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସ୍ମୃତି ସଂଗ୍ରାଳୟରେ ଉପଲବ୍ଧ ହେବ ।

ବିପ୍ଳବୀଙ୍କ ପ୍ରତିମୂର୍ତ୍ତି ପଛପଟରେ ଅବହେଳିତ ଅବସ୍ଥାରେ ଥିବା ଗ୍ରାମ ଉଦ୍ୟାନରେ ନିର୍ମାଣ କାମ ଆରମ୍ଭ ହୋଇଛି। ଶିଶୁ ମାନଙ୍କ ଖେଳକୁଦ ଉପକରଣ ସହିତ ମୁକ୍ତ ବ୍ୟାୟମଶାଳା ପାଇଁ ବିଭିନ୍ନ ଉପକରଣ ସ୍ଥାପନ କରାଯାଇଛି। ଐତିହ୍ୟ ଗ୍ରାମ ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ କରିବା ଲକ୍ଷ୍ୟ ରଖିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଧରଣୀଧର ମେଡିକାଲ କଲେଜରେ ଟ୍ରମା କେୟାର ସେଣ୍ଟରର ଶୁଭାରମ୍ଭ କରିବା ସହ ନବ ନିର୍ମିତ ଟାଉନ ଥାନାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଅନୁଷ୍ଠିତ ତିନିଦିନ ବ୍ୟାପୀ ରଙ୍ଗବତୀ ମହୋତ୍ସବକୁ ମଧ୍ୟ ଉଦଘାଟନ କରିବେ ୬ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial