ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଓଡିଶା ବନ୍ଦ ଡାକରା ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି। ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଛାତ୍ରୀ ଆତ୍ମାହୁତି ଦେବା ଏବଂ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର-ମଙ୍ଗଳବାର ରାତିରେ ମୃତ୍ୟୁ ହେବା ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଏହି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।

କଂଗ୍ରେସ କର୍ମୀମାନେ ନ୍ୟାୟ ଦାବିରେ ଅଖ, ଚଖ ବନ୍ଦ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। କଂଗ୍ରେସ ଓ ଅନ୍ୟ ସମର୍ଥକ ଗୋଷ୍ଠୀଙ୍କ ପକ୍ଷରୁ ଘୋଷିତ ଏହି ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ଘଟଣା ରାଜ୍ୟରେ ତୀବ୍ର ରାଜନୈତିକ ବିବାଦ ସୃଷ୍ଟି କରିଛି, ଯେଉଁଥିରେ ବିଜେଡି ମଧ୍ୟ ଗତକାଲି ବାଲେଶ୍ୱରରେ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ରାଜ୍ୟ ଗୃହ ବିଭାଗ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ କୃଷି ଭବନ ଆଦି ଗୁରୁତ୍ୱପୂର୍ଣ୍ଣ ଅଫିସଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ସମ୍ଭାବ୍ୟ ରାସ୍ତା ଅବରୋଧ, ବନ୍ଦ ଓ ଆଇନଶୃଙ୍ଖଳା ସମସ୍ୟାକୁ ଦୃଷ୍ଟିରେ ରଖି କର୍ମଚାରୀମାନଙ୍କୁ ସକାଳ ଅଫିସ ଆସିବା, ଦର୍ଶନାଥୀଙ୍କ ପ୍ରବେଶ ସୀମିତ କରିବା, ଗେଟ୍‌ରେ ପ୍ରବେଶ ନିୟନ୍ତ୍ରଣ, ପରିଚୟ ପତ୍ର ଯାଞ୍ଚକୁ କଡ଼ାକଡ଼ି କରିବା ଏବଂ ଅଫିସ ଭିତରେ ଅନାବଶ୍ୟକ ଗତିବିଧି ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି।

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଲେଜର ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଓ ଶିକ୍ଷା ବିଭାଗର ଏଚଓଡି ସମୀର ସାହୁଙ୍କୁ ସସ୍ପେଣ୍ଡ କରାଯାଇ ଗିରଫ କରାଯାଇଛି। ଏହାସହ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି ଏବଂ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଓ ଆହତ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶାନ୍ତି ବଜାୟ ରଖିବା ଓ ଜରୁରୀକାଳୀନ ସେବା ଯଥା ସ୍ବାସ୍ଥ୍ୟ, ଅଗ୍ନିଶମ ଓ ଆମ୍ବୁଲାନ୍ସ ସେବାରେ ବ୍ୟାଘାତ ନ ହେବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଗୃହ ବିଭାଗ ସମସ୍ତ ଜିଲା ପ୍ରଶାସନକୁ ସତର୍କ ରହି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ନିର୍ଦ୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)