ଅକ୍ଷର ବ୍ୟୁରୋ: ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ । ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର । ପ୍ରସ୍ତାବ ନିମନ୍ତେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ବ୍ରିଟିଶ୍ ଶାସନ ସମୟରୁ ପ୍ରଚଳିତ ଭୁଲ୍ ବନାନ୍ ସଂଶୋଧନ ହେବ । ଓଡ଼ିଶାର ଯେଉଁ ସ୍ଥାନଗୁଡ଼ିକରେ ସରକାରୀ ଭାବରେ ବ୍ୟବହୃତ ଇଂରାଜୀ ନାମଗୁଡ଼ିକ ପ୍ରାମାଣିକ ଓଡ଼ିଆ ନାମର ଅପଭ୍ରଂଶ ହେଉଛି । ସେହି ସ୍ଥାନଗୁଡ଼ିକର ମୂଳ ଓଡ଼ିଆ ନାମ ପୁନଃସ୍ଥାପନ ସମ୍ପର୍କରେ ପ୍ରସ୍ତାବ ପଠାଇବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ୍ ଏବଂ ତହସିଲ, ଯେଉଁଠି ବର୍ତ୍ତମାନ ସରକାରୀ ବ୍ୟବହାରରେ ଥିବା ଇଂରାଜୀ ନାମଗୁଡ଼ିକ ସେମାନଙ୍କର ପ୍ରାମାଣିକ ଓଡ଼ିଆ ନାମକରଣର ଅପଭ୍ରଂଶ ସୃଷ୍ଟି କରୁଛି । ଏହିପରି ବିକୃତି, ଆମ ରାଜ୍ୟର ପ୍ରକୃତ ଭାଷାଗତ ଏବଂ ସାଂସ୍କୃତିକ ପରିଚୟକୁ ଭୁଲ୍ ଭାବରେ ପ୍ରତିପାଦନ କରୁଛି, ଓଡ଼ିଆ ଅସ୍ମିତାର ସାରକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି । ଯାହା ବ୍ରିଟିଶ ଶାସନ ସମୟରେ ଉଚ୍ଚାରଣ ଅସୁବିଧା ଯୋଗୁଁ ପ୍ରଚଳିତ ଏକ ଭୁଲ୍ ବନାନ ଏବଂ ଏହାକୁ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି ବୋଲି ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢୀ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ପ୍ରସଙ୍ଗରେ ପୂର୍ବରୁ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ଏକ ବିସ୍ତୃତ ରିପୋର୍ଟ ମଗାଯାଇଥିଲା ଓ ଏପର୍ଯ୍ୟନ୍ତ ୧୩ଟି ଜିଲ୍ଲାରୁ ଏହି ସମ୍ପର୍କିତ ସୂଚନା ପ୍ରାପ୍ତ ହୋଇଛି । ଖୁବ୍ ଶୀଘ୍ର ଏ ସମ୍ପର୍କିତ ରିପୋର୍ଟ୍ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ରାଜସ୍ୱ ସଚିବ ଡ. ପାଢୀ ସୂଚନା ଦେଇଛନ୍ତି ।












Leave a Reply