ଅକ୍ଷର ବ୍ୟୁରୋ: ବହୁଚର୍ଚ୍ଚିତ ଝାରପଡ଼ା ଜେଲ ମାମଲାର ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି କ୍ରାଇମବ୍ରାଞ୍ଚ। ମାମଲାର ପ୍ରକୃତ ସତ୍ୟ ଉନ୍ମୋଚନ ଲକ୍ଷ୍ୟରେ ଆଜି କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ପର୍ଯ୍ୟାୟକ୍ରମେ ପଚରାଉଚରା କରାଯିବା ସହ ଘଟଣାର ପୂରା ଚିତ୍ର ଜାଣିବାକୁ ଉଦ୍ୟମ ଚାଲିଛି।
ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଜେଲରେ ରହୁଥିବା ଅଭିଯୁକ୍ତମାନଙ୍କୁ ଜଣକ ପରେ ଜଣକ ଜେରା କରିବେ। ଘଟଣା ସମ୍ପର୍କିତ ତଥ୍ୟ, ଷଡ଼ଯନ୍ତ୍ରର ସମ୍ଭାବ୍ୟ କାରଣ ଏବଂ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ବିସ୍ତୃତ ପଚରାଉଚରା କରାଯିବ।
ତଦନ୍ତକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ପ୍ରମାଣଭିତ୍ତିକ କରିବା ପାଇଁ ଆବଶ୍ୟକ ସ୍ଥଳେ ଜେରା ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯିବ ବୋଲି ସୂଚନା ମିଳିଛି। ଏହାଦ୍ୱାରା ତଦନ୍ତ ସମୟରେ ମିଳୁଥିବା ବୟାନ ଓ ପ୍ରମାଣକୁ ଆହୁରି ସୁଦୃଢ଼ କରାଯିବ। ଏନେଇ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥି ସୂଚନା ଦେଇ କହିଛନ୍ତି ଯେ, ମାମଲାର ସମସ୍ତ ଦିଗକୁ ଗୁରୁତ୍ୱ ଦେଇ ତଦନ୍ତ କରାଯାଉଛି ଏବଂ କୌଣସି ତଥ୍ୟକୁ ଅଣଦେଖା କରାଯିବ ନାହିଁ।ବହୁଚର୍ଚ୍ଚିତ ଏହି ମାମଲାରେ କ୍ରାଇମବ୍ରାଞ୍ଚର ଜେରାରୁ କେଉଁ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଏବଂ ତଦନ୍ତ କେଉଁ ଦିଗକୁ ମୋଡ଼ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।















Leave a Reply