ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଏଚ୍ଓଡି ସମୀର ସାହୁଙ୍କ ଜାମିନ ପୁଣି ଖାରଜ ହୋଇଛି । ବାଲେଶ୍ୱର ଜିଲା ଓ ଦୌରାଜଜ୍ ସୋମବାର ଜାମିନ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି । ଅପରପକ୍ଷରେ ସମୀରଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମ୍ବ୍ରାଞ୍ଚ ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଡିଏସ୍ପି ତଥା ମାମଲାର ତଦନ୍ତକାରୀ ଅଧିକାରୀ ଇମାନ୍ କଲ୍ୟାଣ ନାୟକ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏହି ଆବେଦନକୁ ମଞ୍ଜୁର କରିବା ସହ ସମୀରଙ୍କୁ ସୋମବାରଠାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ୩ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । କ୍ରାଇମ୍ବ୍ରାଞ୍ଚ ଅଧିକାରୀ ଅଭିଯୁକ୍ତ ସମୀରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ।
ଛାତ୍ରୀ ସୌମ୍ୟାଶ୍ରୀ ଏଚ୍ଓଡି ସମୀର ସାହୁଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ । ନ୍ୟାୟ ନ ପାଇ ଗତ ଜୁଲାଇ ୧୨ତାରିଖରେ ସେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏଚ୍ଓଡି ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏସଡିଜେଏମ୍ଙ୍କ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ପରେ ସମୀରଙ୍କ ଓକିଲ ଶ୍ରୀବତ୍ସ ନାୟକ ଗତ ୧ ତାରିଖରେ ବାଲେଶ୍ୱର ଜିଲା ଓ ଦୌରାଜଜ୍ଙ୍କ କୋର୍ଟରେ ପୁଣି ଜାମିନ ଆବେଦନ କରିଥିଲେ । ଏହାର ଶୁଣାଣି ୧୨ ତାରିଖକୁ ରହିଥିଲା । ନିମ୍ନ କୋର୍ଟର କେସ୍ ରେକର୍ଡ ସ୍ଥାନାନ୍ତର ହୋଇ ନ ଥିବା ଓ ପୋଲିସ ସିଡି ଦାଖଲ କରି ନ ଥିବା କାରଣରୁ ଜାମିନ ଆବେଦନର ଶୁଣାଣି ହୋଇ ନ ପାରି ୧୮ ତାରିଖକୁ ଧାର୍ଯ୍ୟ ହୋଇଥିଲା ।












Leave a Reply