ଅକ୍ଷର ବ୍ୟୁରୋ: ଇତିହାସ ପୃଷ୍ଠାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି କଟକ ମହାନଗର ନିଗମ (କେଏମସି)। ୧୫୦ ବର୍ଷ ପୂର୍ତ୍ତି ଅବସରରେ କଟକବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। କଟକକୁ ଭାରତର ସବୁଠୁ ସ୍ୱଚ୍ଛ ସହରରେ ପରିଣତ କରିବା ସହ ସହରର ବହୁ ଦିନର ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି। କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ସହରର ଜଳନିଷ୍କାସନ ବ୍ୟବସ୍ଥାକୁ ଆଧୁନିକ କରିବା ପାଇଁ ଏକ ସମନ୍ୱିତ ମାଷ୍ଟର ପ୍ଲାନର DPR ପ୍ରସ୍ତୁତି ଚାଲିଛି। ଖୁବ୍ ଶୀଘ୍ର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ, ଯାହା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଆଣିବ।
୧୮୭୬ ମସିହାରେ କଟକ ପୌର ପରିଷଦ ଭାବେ ଆରମ୍ଭ ହୋଇଥିବା ଏହି ସଂସ୍ଥା ଆଜି କଟକ ମହାନଗର ନିଗମରେ ପରିଣତ ହୋଇଛି। ୧୫୦ ବର୍ଷର ଏହି ଐତିହାସିକ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଏକ ବର୍ଷ ଧରି ବିଭିନ୍ନ ଜନହିତକର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କେଏମସି ମେୟର ସୁବାସ ସିଂ ସୂଚନା ଦେଇଛନ୍ତି।
ଉଦ୍ଘାଟନୀ ସମାରୋହରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋଷ, କେଏମସି ମେୟର ସୁବାସ ସିଂ, କମିଶନର, ଡେପୁଟି ମେୟର ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ନଗରପାଳ, ମହାନଗରପାଳ ଏବଂ ସମସ୍ତ କର୍ପୋରେଟରଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା। କଟକ ସହରକୁ ସ୍ୱଚ୍ଛ, ସୁନ୍ଦର ଓ ଆଧୁନିକ ନଗରୀରେ ପରିଣତ କରିବା ସହ ନାଗରିକ ସୁବିଧାରେ ନୂଆ ଅଧ୍ୟାୟ ଲେଖିବାକୁ ସରକାରଙ୍କ ଏହି ଘୋଷଣାକୁ ନେଇ ସହରବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି।













Leave a Reply