ଅକ୍ଷର ବ୍ୟୁରୋ: ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରୁ ଏକ ଗଳିତ ହାତୀର ଶବ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାକୁ ନେଇ ବନବିଭାଗ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ହାତୀଟିର ମୃତ୍ୟୁ ପରେ ବନବିଭାଗ ଗୁପ୍ତ ଭାବେ ଶବକୁ ପୋତି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲା।
ସୂଚନା ଅନୁଯାୟୀ, ଗତ ୩ ଜୁଲାଇରେ ରଣପୁର ବନାଞ୍ଚଳର ଜାମୁଗଣ୍ଡ ଜଙ୍ଗଲରେ ହାତୀର ଶବକୁ ପୋତାଯାଇଥିବା ଅଭିଯୋଗ ହୋଇଛି। ତେବେ କିଛି ଦିନ ପରେ ଶବଟି ଗଳିତ ଅବସ୍ଥାରେ ଉଦ୍ଧାର ହେବା ପରେ ଘଟଣା ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ବନବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି।
ଘଟଣା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ହାତୀର ମୃତ୍ୟୁ କିପରି ହେଲା? ମୃତ୍ୟୁର ପ୍ରକୃତ କାରଣ କ’ଣ? ବନବିଭାଗ କାହିଁକି ଶବକୁ ଗୁପ୍ତ ଭାବେ ପୋତିବାକୁ ଚେଷ୍ଟା କଲା? ଘଟଣାରେ କୌଣସି ଅବହେଳା କିମ୍ବା ଅନ୍ୟ କୌଣସି ଷଡ଼ଯନ୍ତ୍ର ରହିଛି କି? ଏଭଳି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର ଧରିଛି।
“ହାତୀକୁ ମାରି ପୋତିଦିଆଯାଇଛି” ବୋଲି ସ୍ଥାନୀୟ ଲୋକ ଗୁରୁତର ଅଭିଯୋଗ କରୁଥିବାବେଳେ ପରିବେଶପ୍ରେମୀ ଓ ବନ୍ୟଜନ୍ତୁ ସୁରକ୍ଷା ସଂଗଠନମାନେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପ୍ରକୃତ ସତ୍ୟ ପଦାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋରଦାର ହୋଇଛି। ଏପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ଘଟଣାର କାରଣ କିମ୍ବା ଅଭିଯୋଗକୁ ନେଇ କୌଣସି ସ୍ପଷ୍ଟ ବୟାନ ଆସିନାହିଁ। ତେଣୁ ଘଟଣାର ତଦନ୍ତ ଓ ସରକାରୀ ସ୍ପଷ୍ଟୀକରଣକୁ ନେଇ ସମସ୍ତଙ୍କ ନଜର ରହିଛି।
















Leave a Reply