ଛତିଶଗଡ଼ରେ ସକ୍ରିୟ ଅବପାତ, ଓଡ଼ିଶାରେ ତୁହାକୁ ତୁହା ବର୍ଷା: ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଛତିଶଗଡ଼ରେ ସକ୍ରିୟ ରହିଛି ଅବପାତ। ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବା ପରେ ପରବର୍ତ୍ତୀ ୧୨ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା। ଉପକୂଳରୁ ଉପାନ୍ତ, ଦକ୍ଷିଣରୁ ପଶ୍ଚିମ ଓ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗିରହିଛି। ବର୍ଷା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି। ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି।

ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ନବରଙ୍ଗପୁର। ସେହିପରି ପ୍ରବଳ ବର୍ଷା ଆଶଙ୍କାରେ ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି ହୋଇଛି। ତେବେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼କୁ ୟେଲୋ ଆଲର୍ଟ ଜାରି କରିଛି ଆଇଏମଡି। ଏହାପରେ ୨୭ ତାରିଖରେ ରାଜ୍ୟର କୌଣସି ଜିଲ୍ଲା ପାଇଁ ବର୍ଷା ଚେତାବନୀ ନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial